ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ହାତରେ ଆଉ ଦିନ କେଇଟା ବାକି ରହିଲା । ତିନି ପ୍ରମୁଖ ରାଜନୈତିକ ଦଳ ଏହି ଆସନ ହାତେଇବାକୁ ଅଣ୍ଟା ଭିଡି଼ଲେଣି । ବିଜେଡି, ବିଜେପି ଓ କଂଗ୍ରେସ ଧାମନଗର ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ତୁଙ୍ଗ ନେତା ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା ଏହି ତାଲିକାରେ ସାମିଲ ରହିଛନ୍ତି । ଉଭୟ ଖୁବଶୀଘ୍ର ଧାମନଗର ଗସ୍ତ କରି କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିବେ ।
ରାଜ୍ୟ ରାଜନୀତିରେ ଧାମନଗର ଉପନିର୍ବାଚନ ଉଷ୍ଣତା ଦଖିବାକୁ ମିଳିଲାଣି । ହେଭିୱେଟ୍ମାନଙ୍କୁ ନେଇ ଭୋଟ ମାଗିବେ ପ୍ରମୁଖ ରାଜନୈତିକ ଦଳ । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ୩୦ ଜଣ ସାମିଲ ରହିଛନ୍ତି । କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସଙ୍କ ସହ ବହୁ ବିଧାୟକ ଓ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି ।
ଆସନ୍ତା 21 ତାରିଖରୁ ପ୍ରଚାର ଆରମ୍ଭ କରିବେ ସୁର । ପାଖାପାଖି 20ଟି ସଭାକୁ ସମ୍ବୋଧନ କରିବେ ସୁର । ଏହାକୁ ନେଇ ସେ କହିଛନ୍ତି, "ଆମକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇ ସାରିଛି । ୨୧ ତାରିଖରୁ ଘମାଘୋଟ ପ୍ରଚାର ହେବ ।"
ସେପଟେ କଂଗ୍ରେସ ବିଧାୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "କଂଗ୍ରେସ ଦଳ ସଭାପତି ଧାମନଗର ନିର୍ବାଚନ ପାଇଁ ରୋଡମ୍ୟାପ୍ କରିଛନ୍ତି । ୬ଟି ଜିଲ୍ଲା ପରିଷଦ ଜୋନ୍ରେ ୬ ଜଣ ବିଧାୟକ ରହିବେ । ସବୁ ପଞ୍ଚାୟତରେ ଦୁଇ ଦୁଇ ଜଣ କଂଗ୍ରେସ କର୍ମୀ ରହିବେ । ମହିଳା କଂଗ୍ରେସ ଯାଇ ଜୋରଦାର ପ୍ରଚାର କରିବେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି ବିଷୟରେ ଲୋକଙ୍କୁ ଜଣାଇବ । ମୁଁ ଦୀପାବଳି ପରେ ପ୍ରଚାର ପାଇଁ ଯିବି । ବାକି ସମସ୍ତେ ନାମାଙ୍କନ ପ୍ରତ୍ୟାହାର ତାରିଖ ପରେ ଧାମନଗର ଗସ୍ତ କରିବେ ।"
ବେକାରୀ ଯୁବକଙ୍କୁ ରୋଜଗାର ଯୋଗାଇ ଦେବା, ନାରୀ ସଶକ୍ତିକରଣ, ଆଇନ ଶୃଙ୍ଖଳାରେ ମଧ୍ୟ ରାଜ୍ୟ ସରକାର ବେଶ୍ ପଛରେ ରହିଛନ୍ତି । ସେପଟେ କେନ୍ଦ୍ର ସରକାର ମଧ୍ୟ ୨ କୋଟି ଯୁବକଙ୍କୁ ନିଯୁକ୍ତି ଓ ପ୍ରତି ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କାର ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲେ ତାହା ମଧ୍ୟ ପୂରଣ କରିପାରିନାହାନ୍ତି । ଏହାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି କହିଛି କଂଗ୍ରେସ ।
ଇଟିଭି ଭାରତ, ଭୁବନେଶ୍ବର