ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ବିଜେପିର ହଟ୍ଟଗୋଳ ନେଇ ଜୋର ଧରିଲା ରାଜନୀତି । ଗୃହ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିବାରୁ ବିଜେପି ସଭ୍ୟମାନେ ଜାଣିଶୁଣି ହଟ୍ଟଗୋଳ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ସେପଟେ କଂଗ୍ରେସ ଅଭିଯୋଗର କିଛି ଯଥାର୍ଥତା ନାହିଁ ବୋଲି ବିଜେଡି କହିଛି । ଅନ୍ୟପଟେ ଯେ ପର୍ଯ୍ୟନ୍ତ ବାଚସ୍ପତି ଏ ନେଇ ରୁଲିଂ ନଦେବେ ଆମେ ବିରୋଧ ଜାରି ରଖିବୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ଆଜି ବିଧାନସଭା ଆରମ୍ଭରୁ ପ୍ରଶ୍ନପତ୍ରରେ ବିରୋଧୀଦଳ ପକ୍ଷରୁ ଦିଆଯାଇଥିବା ପ୍ରଶ୍ନକୁ ସ୍ଥାନିତ କରଯାଇନଥିବା ଅଭିଯୋଗ କରି ବିଜେପି ହଟ୍ଟଗୋଳ କରିଥିଲା । ବିଶେଷ କରି ମୋହନ ମାଝୀ ଗୃହ ବିଭାଗ ଉପରେ ଯେତେ ପ୍ରଶ୍ନ ପଚାରିଥିଲେ କିଛି ବି ସ୍ଥାନିତ ହୋଇନି ବୋଲି କହିବା ସହ ଉଦ୍ଦେଶ୍ୟମୂଳକ ଭାବେ ପ୍ରଶ୍ନ କାଟି ଦିଆଯାଇଛି ବୋଲି କହି ଗୃହରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ଏହାକୁ ଦୃଷ୍ଟିରେ ରଖି ଦିନ 11.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ଏହାକୁ ନେଇ କଂଗ୍ରେସ, ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା କହିବା ସହ ଜାଣିଶୁଣି ଏପରି କରାଯାଇଛି ବୋଲି କହିଛି । କିଭଳି ଗୃହ ବିଭାଗର ପ୍ରଶ୍ନ ଆଲୋଚନା ନହେଉ ସେନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ରହିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ସେପଟେ ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ବିଧାନସଭାରେ ପ୍ରଶ୍ନ ବିଧି ଅନୁଯାୟୀ ସ୍ଥାନିତ ହେଉଛି। ଏଥିରେ କାହାର ସନ୍ଦେହ କରିବା ଉଚିତ୍ ନୁହେଁ। ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳରେ ହଟ୍ଟଗୋଳ କରିବା ଦୁଃଖ ଦାୟକ। କଂଗ୍ରେସ କରିଥିବା ଅଭିଯୋଗର କିଛି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ