ଭୁବନେଶ୍ବର: ପୌର ଓ ପଞ୍ଚାୟତ ନିର୍ବାଚନ ଘୁଞ୍ଚିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ରାଜ୍ୟ ସରକାର ପଞ୍ଚାୟତିରାଜ୍ ଅନୁଷ୍ଠାନକୁ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପଞ୍ଚାନନ ।
ପଞ୍ଚାନନ କହିଛନ୍ତି ଯେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୁଣି ଥରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ରାଜନୈତିକ ଅଭିସନ୍ଧି ସ୍ପଷ୍ଟ ବାରି ହୋଇପଡୁଛି । ସରକାରରେ ଯେଉଁମାନେ ଅଛନ୍ତି, ସେମାନେ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର କରିବା ଲାଗି ଚାହାଁନ୍ତି ନାହିଁ । ସମ୍ବିଧାନର 243 ସଂଶୋଧିତ ଧାରା ଅନୁସାରେ ବିକେନ୍ଦ୍ରୀକରଣ ଚାହୁଁନାହାନ୍ତି ସରକାର । ଯାହା କାରଣରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସରକାର ଘୁଞ୍ଚାଇ ଚାଲିଛନ୍ତି ।
ସାମ୍ବିଧାନିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଶେଷ କରିବା ଲାଗି ସରକାର ଲାଗିଛନ୍ତି । ଏହା ଦୁଃଖଦାୟକ କଥା । କ୍ଷମତାର ଅପବ୍ୟବହାର କରି ସରକାର ନିର୍ବାଚନ ଜିତିପାରିବେ । ହେଲେ ଉତ୍ତର ପ୍ରଦେଶ ପରି ଓଡ଼ିଶା ସରକାରଙ୍କ ମନରେ ଭୟ ସୃଷ୍ଟି ହୋଇସାରିଲାଣି । ଜନସାଧାରଣଙ୍କ ଠାରୁ ପ୍ରତ୍ୟାଖ୍ୟାନତର ଶୀକାର ହେବେ ବୋଲି ଭୟ କଲେଣି ସରକାର । ତେଣୁ ଏହି ନିର୍ବାଚନକୁ ଘୁଞ୍ଚାଇ ଚାଲିଛନ୍ତି । ଆଉ ସରକାରଙ୍କୁ ଏଥିରେ ରାଜ୍ୟ ନିର୍ବାଚନ କମିଶନ ସହଯୋଗ କରୁଛନ୍ତି । ଯାହା ଆହୁରି ଦୁଃଖ ଦାୟକ କଥା ବୋଲି ପଞ୍ଚାନନ ଅଭିଯୋଗ କରି କହିଛନ୍ତି।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ