ଭୁବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଛି କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ । କୋରାପୁଟ କଳି ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ ପିସିସି ମୁଖିଆଙ୍କୁ ଟାର୍ଗେଟ କରି ତାଙ୍କୁ ତୁରନ୍ତ ପଦ ଛାଡିବା ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଯାହାର ଖଣ୍ଡନ କରିଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ପ୍ରଦୀପ ତାରାଙ୍କ ଉପରେ ଓଲଟା ଦୋଷାରୋପ କରିବା ପରେ ସମସ୍ତଙ୍କ ନଜର ଏବେ ହାଇକମାଣ୍ଡ ଉପରେ ।
ତେବେ ଅଗଷ୍ଟ ୩୦ ତାରିଖରେ ଓଡିଶା ଆସୁଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର । ବର୍ତ୍ତମାନ ସ୍ଥିତିରେ ଚେଲ୍ଲା କୁମାରଙ୍କ ଓଡିଶା ଗସ୍ତ ବହୁ ଗୁରୁତ୍ବ ବହନ କରୁଛି । କୋରାପୁଟ କଳିକୁ ଚେକ୍ ଦେବାରେ ଚେଲ୍ଲା କୁମାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ କି ସେନେଇ ଏବେ ଉଠିଛି ପ୍ରଶ୍ନ ।
ଅନ୍ୟପଟେ ଏଥିରେ ଚେଲ୍ଲା କୁମାରଙ୍କ ଭୂମିକାକୁ ଖଣ୍ଡନ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି, ଗୋଷ୍ଠୀ କନ୍ଦଳ ପ୍ରସଙ୍ଗରେ ଚେଲ୍ଲା କୁମାରଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ନାହିଁ । ଏହା ଦଳୀୟ ବ୍ୟାପାର । ଯାହାର ଯାହା ଅସୁବିଧା ଅଛି ସେମାନେ ନିଜ ନିଜ ଭିତରେ ବୁଝାମଣା କରିବା ଆବଶ୍ୟକ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ