ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ଜାତୀୟ ନେତା ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ କହ୍ନେୟା କୁମାରଙ୍କ ସହ ବହୁ ଜଣାଶୁଣା ବ୍ୟକ୍ତି ଯୋଗ ଦେଇଥିଲେ । ଏହି ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ କହ୍ନେୟା କୁମାର ଓ ଅନ୍ୟ ପ୍ରମୁଖ ନେତାଏ । ତେବେ ସମାବେଶ ଶେଷ ହେବାରେ ସମ୍ପୃକ୍ତ ସ୍ଥାନରେ କିଛି ବ୍ୟକ୍ତି ଗଙ୍ଗାଜଳ ସିଞ୍ଚନ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ ।
ବିଶ୍ବହିନ୍ଦୁ ପରିଷଦ, ବିଜେପି ଓ ବିଜେଡିର କର୍ମୀମାନେ ଏଭଳି ହୀନ କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଏହାଦ୍ବାରା ଦଳିତ ଆଦିବାସୀ ସମାଜର ସମ୍ମାନ ହାନୀ ହୋଇଥିବା କଂଗ୍ରେସ ନେତାଏ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ବିଶ୍ବହିନ୍ଦୁ ପରିଷଦ, ବିଜେପି ଓ ବିଜେଡିର କର୍ମୀମାନଙ୍କ ଏଭଳି ଆଚରଣ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ଚେତାବନୀ ଦେଇଛି । ଏଭଳି ଆଚରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି ।
କେବଳ ନବୀନ ସରକାରରେ ହିଁ ଦଳିତଙ୍କୁ ଏଭଳି ଆଚରଣର ଶିକାର ହେବାକୁ ପଡ଼ୁଥିବା କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ କଂଗ୍ରେସ ଥାନାରେ ମଧ୍ୟ ଅଭିଯୋଗ କରିଛି । ନିର୍ଦ୍ଦିଷ୍ଟ କିଛି ଅସମାଜିକ ଯୁବକ ଯଥା ଗୌରୀଶଙ୍କର ମିଶ୍ର, ହିମାଂଶୁ ଶେଖର (ଆୟୁଷ ଡାକ୍ତର), ମିହିର କୁମାର ମିଶ୍ର ଏଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଏଭଳି ସ୍ପର୍ଶକାତର ଓ ଜାତିଆଣ ଘଟଣାରେ ଏଯାବତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନଥିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛି କଂଗ୍ରେସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ