ଭୁବନେଶ୍ବର: ରାଜ୍ୟ କେତେ ପରିମାଣର ରାତ୍ରି ଆଶ୍ରୟସ୍ଥଳୀ ରହିଛି ଏବଂ କେତେ ନିରାଶ୍ରୟ ଲୋକ ସେଠାରେ ଅଛନ୍ତି ସେ ନେଇ ସଠିକ୍ ଉତ୍ତର ଦିଆଯାଉ । ଜନସାଧାରଣଙ୍କୁ ଭୂଲ ତଥ୍ୟ ଦେଇ ବିଭ୍ରାନ୍ତ ନକରି ସେମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ସେସବୁର ଟିକ୍ନିକ୍ ହିସାବ ସରକାରଙ୍କୁ ମାଗିଛି ରାଜ୍ୟ କଂଗ୍ରେସ । ରବିବାର କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳୀରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରାଯାଇଛି ।
ସୂଚନାନୁସାରେ, ରାଜ୍ୟରେ ଶୀତର ଲହରୀ ପ୍ରବାହିତ ହେବାରୁ ନିକଟରେ ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍କୁଲ ଗୃହ ଖୋଲି ଆଶ୍ରୟ ଦେବାକୁ କହିଛନ୍ତି । ଯାହାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି । 2012ରେ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁପ୍ରିମକୋର୍ଟରେ ରାଜ୍ୟରେ 15ଟି ରାତ୍ରି ଆଶ୍ରୟସ୍ଥଳ ଥିବା କଥା କହିଥିଲେ । ଏହାର 4 ବର୍ଷ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ 30ରୁ 40ଟି ରାତ୍ରି ଆଶ୍ରୟସ୍ଥଳ ଥିବା କୁହାଯାଇଥିଲା । ସେହିପରି ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ରାଜ୍ୟର ଲୋକମାନଙ୍କ ପାଇଁ 22ଲକ୍ଷ ପକ୍କାଘର ଯୋଗାଇ ଦିଆଯାଇଥିବା କଥା କହିଛନ୍ତି । ଯଦି ଲୋକମାନଙ୍କୁ ଏତେ ଘର, ରାତ୍ରି ଆଶ୍ରୟ ସ୍ଥଳ ଆଦି ଯୋଗାଇ ଦିଆଯାଇଛି ତେବେ ସବୁ ସ୍କୁଲରେ ଆଶ୍ରୟସ୍ଥଳ ଖୋଲିବାର ଆଵଶ୍ୟକତା କଣ ବୋଲି ପ୍ରଶ୍ନ କରାଯାଇଛି । ତେଣୁ ସରକାରଙ୍କ ବିଭିନ୍ନ ବିଭାଗ ଦେଇଥିବା ତଥ୍ୟକୁ ବିଚାର କଲେ ସରକାର ମିଛ କହୁଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ