ଭୁବନେଶ୍ବର: 2014 ତୁଳନାରେ 2022ରେ ଗ୍ୟାସ, ପେଟ୍ରୋଲ, ଡିଜେଲ ଆଦିର ଦର ଅହେତୁକ ଭାବେ ବଢିଛି । ବେକାରୀ ସମସ୍ୟା ବି ବୃଦ୍ଧି ପାଇଛି । ଏଥିପାଇଁ ମୋଦି ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ(congress and bjp targets each other ) ।
କଂଗ୍ରେସ ସାଂସଦ ନୀରଜ ଡାଙ୍ଗି କହିଛନ୍ତି, "ଯଦି 2024 ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସେ ତେବେ ମହଙ୍ଗାମୁକ୍ତ ଭାରତ ଗଠନ କରିବ । ରନ୍ଧନ ଗ୍ୟାସ ଦରରେ ଅହେତୁକ ବୃଦ୍ଧି ଲୋକଙ୍କ ନିଦ ହଜାଇ ଦେଇଛି । ଏପରିକି ଗ୍ରାହକଙ୍କ ଉପରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ମହଙ୍ଗାମାଡ଼ ପଡିଛି । ଏହାର ଜବାବ ସଂସଦରୁ ସଡ଼କ ସବୁଠି ଦିଆଯିବ ।"
ଏଭଳି ଅଭିଯୋଗ ନେଇ ଗଣିତ ଦେଖାଇଛି କଂଗ୍ରେସ 2014ରେ ଏଲପିଜି 410 ଟଙ୍କା ଥିବା ବେଳେ 2022ରେ ଏହା 1053 ଟଙ୍କାରେ ପହଞ୍ଚିଛି । ସେହିପରି ପେଟ୍ରୋଲ ଲିଟର ପିଛା 71 ଟଙ୍କା ଥିବା ବେଳେ 2022ରେ ଏହା 95ରୁ 112ଟଙ୍କାରେ ପହଞ୍ଚିଛି । ଡିଜେଲ 55ଟଙ୍କାରୁ 100 ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଛି । ସୋରିଷ ତେଲ 90ଟଙ୍କା ଲିଟରରୁ 200 ଟଙ୍କାରେ ପହଞ୍ଚିଛି । ସେହିପରି ଅଟା କେଜି 22ଟଙ୍କାରୁ 40 ଟଙ୍କା ହୋଇଛି । କ୍ଷୀର ଲିଟର ପିଛା 35 ଟଙ୍କା ଥିବା ବେଳେ ଏବେ 60 ଟଙ୍କାରେ ବିକ୍ରି ହେଉଛି ।
ଏଥିପାଇଁ କେନ୍ଦ୍ର ସରକାରକୁ ଦାୟୀ କରିଛନ୍ତି କଂଗ୍ରେସ ସାଂସଦ । ଏଥିସହ ବେରୋଜଗାରୀ କେମିତି ଏକ ପ୍ରମୁଖ ସମସ୍ୟା ହୋଇଛିଡା ହୋଇଛି ସେ କଥା ବଖାଣିଛନ୍ତି କଂଗ୍ରେସ ସାଂସଦ ନୀରଜ ଡାଙ୍ଗି । ଏଥିପାଇଁ ୨୦୨୪ରେ କଂଗ୍ରେସ ସରକାରକୁ ଆସିଲେ ଏହି ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ନୀରଜ ଡାଙ୍ଗି । କଂଗ୍ରେସ ସାଂସଦଙ୍କ ଅଭିଯୋଗକୁ ନେଇ ଜବାବ ରଖିଛି ବିରୋଧୀ ବିଜେପି ।
ବିଜେପି ନେତା ସୁରଥ ବିଶ୍ବାଳ କହିଛନ୍ତି, "କଂଗ୍ରେସ ନିଜ ସ୍ଥିତି ଜାହିର କରିବା ପାଇଁ ଏଭଳି ଅଭିଯୋଗ ଆଣିଛି । କଂଗ୍ରେସ ସଂଗଠନରେ ଅନ୍ତର୍ଦ୍ବନ୍ଦ୍ବ ଲାଗି ରହିଛି । କଂଗ୍ରେସରେ କିଏ କାହା କଥା ମାନୁଛି ତାହା ଜଣା ପଡୁନାହିଁ । କଂଗ୍ରେସ ୬୦ ବର୍ଷ ଧରି ଦେଶରେ ଶାସନ କରି ଲୋକଙ୍କ ବିଶ୍ବସନିୟତା ହରାଇଛି ।"
2024 ନିର୍ବାଚନ ପାଇଁ ଏବେଠୁ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଗଲାଣି । ଦୁଇ ଜାତୀୟ ଦଳ ପରସ୍ପର ଉପରେ ଦୋଷ ଲଦିବାର ପ୍ରକ୍ରିୟା ଆରମ୍ଭ କରିଦେଲେଣି । ବିଜେପିକୁ କଡା ସମାଲୋଚନା କରିଥିବା କଂଗ୍ରେସ, ମହାଙ୍ଗାମୁକ୍ତ ଭାରତ କଥା କହି ଆଗକୁ କେତେଦୁର ଲୋକଙ୍କ ବିଶ୍ବାସ ଭାଜନ ହୋଇପାରୁଛି ତାହା ଦେଖିବା ବାକି ରହିଲା ।