ଭୁବନେଶ୍ବର: ଦୁର୍ନୀତି ହଟାଇବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ପୁଣି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଇଞ୍ଜିନିୟର ଥିଲାବେଳେ ୨ ଜଣ ଅବକାରୀ ବିଭାଗର ଅଧିକାରୀ ଅଟନ୍ତି ।
ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ କେନ୍ଦୁଝର ଗ୍ରାମୀଣ କାର୍ଯ୍ୟ ବିଭାଗର ଡେପୁଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା । ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି ଏବଂ ସେ ଏକ କୋଟିରୁ ଅଧିକ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି ।
ଦ୍ବିତୀୟରେ, କଟକର ଆର ଏଣ୍ଡ ବି ଡିଭିଜନର କ୍ବାଲିଟ କଣ୍ଟ୍ରୋଲ ବିଭାଗର ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ଦଳାଇ । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜିତେନ୍ଦ୍ରଙ୍କ ନାଁରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି ।
ତୃତୀୟରେ, ମୟୂରଭଞ୍ଜ କରଞ୍ଜିଆର ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବିଜୟ ପରିଡା । ମରାମତି କାମ କରିବା ସମୟରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା ଏବଂ ତିନୋଟି ଭିଜିଲାନ୍ସ କେସରେ ମଧ୍ୟ ସେ ଜଡିତ ଅଛନ୍ତି ।
ଚତୁର୍ଥରେ, ଭୁବନେଶ୍ବରର R&B ଡିଭିଜନର ସହକାରୀ ଯନ୍ତ୍ରୀ ଗଣେଶ୍ବର ସେଠୀ । ତାଙ୍କ ବିରୋଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ଆଦି ଗୁରୁତର ଅଭିଯୋଗକୁ ଭିତ୍ତିକରି ୬ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା ।
ପଞ୍ଚମରେ, ସମ୍ବଲପୁର ଓଡିଶା ପାନୀୟ ନିଗମ ଡିପୋରି ଶାଖା ପରିଚାଳକ ଭାବରେ କାର୍ଯ୍ୟରତ ଅବକାରୀ ବିଭାଗର ଡେପୁଟି ଅଧୀକ୍ଷକ ଜୟଦୀପ ପଟ୍ଟନାୟକ । ସେ ନିଜ କାର୍ଯ୍ୟକଳାପରେ ସରକାରୀ ଶାଳୀନତା ଓ ସୌଜନ୍ୟର ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ହୋଇଥିଲା । ଏହାସହ ଦାୟିତ୍ବହୀନତା, ସରକାରୀ ସମ୍ପତ୍ତିର କୁପରିଚାଳନା ଏବଂ ଅଫିସ ସମୟରେ ମଦ୍ୟପାନ ଆଦି ନାନା ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି ।
ଶେଷରେ ହେଉଛନ୍ତି ସୁନ୍ଦରଗଡରେ କାର୍ଯ୍ୟରତ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ । ସେ ନିଜ ଚାକିରୀକାଳ ମଧ୍ୟରେ ପାଞ୍ଚଥର ନିଲମ୍ବିତ ହୋଇଛନ୍ତି । ଅପାରଗତା, ନିଷ୍ଠାହୀନତା ତଥା ଦାୟିତ୍ବହୀନ ବ୍ୟବହାର ପାଇଁ ତାଙ୍କ ବିରୁଦ୍ଧରେ ମଧ୍ୟ ପାଞ୍ଚଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ବଡ ପଦକ୍ଷେପ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏକ ସତର୍କ ଘଣ୍ଟି ପାଲଟିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ