ଭୁବନେଶ୍ବର: ୬ ଦିନିଆ ରିମାଣ୍ଡରେ ଆସିଲା ପ୍ରଜ୍ଞା ପ୍ରକାଶ । ଦୁବାଇରୁ ପ୍ରଜ୍ଞା ପ୍ରକାଶ ଆକାଉଣ୍ଟକୁ ଆସିଥିଲା ଟଙ୍କା । ତେବେ ଟଙ୍କା ଲିଙ୍କ ଖୋଜିବାକୁ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ ଭୁବନେଶ୍ବର SDJM କୋର୍ଟ । ଖବର ଅନୁଯାୟୀ, କିଛି ଦିନ ତଳେ ରାଜଧାନୀରୁ ଠକ ପ୍ରଜ୍ଞା ପ୍ରକାଶ ନାୟକଙ୍କୁ ଗିରଫ କରାଯାଇଥିଲା । ପ୍ରଜ୍ଞା ପ୍ରକାଶ ବିରୋଧରେ ୨ କୋଟିରୁ ଅଧିକ ଠକେଇ କରିଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଖୋଲତାଡ଼ କରୁଛି ପୋଲିସ । ଆନ୍ଧ୍ରରେ ଏକାଧିକ ପ୍ଲଟ ଓ ଭୁବନେଶ୍ବରରେ ହାଇପ୍ରୋଫାଇଲ ଲୋକଙ୍କୁ ଚୁନା ଲଗାଇଥିବା ଠକକୁ ରିମାଣ୍ଡ ବେଳେ ପଚରାଉଚରା କରିବ ପୋଲିସ।
କିଭଳି ପି ଫୌର ଆସୋସିଏଟ୍ସ ନାମକ କମ୍ପାନି ଖୋଲି ବଡ ବଡ କର୍ପୋରେଟ ହାଉସ ସହ ବଡ କମ୍ପାନୀର ମାଲିକମାନଙ୍କୁ ସେ ଠକିଥିଲେ । ଏପରିକି ଫେକ ଏଗ୍ରିମେଣ୍ଟ ଦର୍ଶାଇ ନିଜ ସେୟାରକୁ ବିକିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ 2କୋଟି 35ଲକ୍ଷ 80ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା । ଏବେ ଠକ ପ୍ରଜ୍ଞା ପ୍ରକାଶ ନାୟକ ନାଁରେ କେତୋଟି ଠକେଇ ଅଭିଯୋଗ ରହିଛି, ଏହା ପଛରେ ହାଓଲା କାରବାରର ଲିଙ୍କ ରହିଛି କି ନାହିଁ, ସେନେଇ ରିମାଣ୍ଡରେ ପଚରାଉଚରା କରିବ ପୋଲିସ। ଏପରିକି କିଛି ବଡବଡିଆ ଲୋକଙ୍କ କଳା ଟଙ୍କାକୁ ଧଳା କରିବା ପାଇ ମାଧ୍ୟମ ସାଜିଥିଲା ପ୍ରଜ୍ଞା ପ୍ରକାଶ ନାୟକ । ଏଥିପାଇଁ ଅନେକ ଠକେଇ କରିଥିଲେ ବି ଅଭିଯୋଗକାରୀ ନିଜର କଳା ସାମ୍ରାଜ୍ୟର ଗୁମର ଫିଟଯିବା ଭୟରେ ପୋଲିସ ସାମ୍ନାକୁ ଆସୁନାହାନ୍ତି ।
ତେବେ କିଏ ସେହି କଳାପାହାଡର ବାଦଶାହା, ଯାହାଙ୍କ ଟଙ୍କା ଠକିଛି ପ୍ରଜ୍ଞା । ସେମାନଙ୍କର ଚେର ଖୋଜିବାକୁ ପୋଲିସ ଚେଷ୍ଟା କରୁଛି। ଗତ 4ତାରିଖରେ ଠକ ପ୍ରଜ୍ଞାକୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଥିବା ବେଳେ ଆଜି ୬ ଦିନିଆ ରିମାଣ୍ଡରେ ନେଇଛି ପୋଲିସ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ