ଭୁବନେଶ୍ବର: ନୂଆବର୍ଷରୁ ରାଜ୍ୟରେ ପୁଣି ବଢିବ ଶୀତ । ଆସନ୍ତା ୪ ତାରିଖ ଯାଏଁ ସର୍ବନିମ୍ନ ତାପମାତ୍ରା କ୍ରମଶଃ ଖସିବ । ଯାହାଫଳରେ ପୁଣି ହାଡଭଙ୍ଗା ଶୀତରେ ଥରିବ ଓଡିଶା । ଆସନ୍ତାକାଲି(ଶୁକ୍ରବାର) ଠାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ କମିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଏଥିସହ ୮ ଜିଲ୍ଲାକୁ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆଜି(ଗୁରୁବାର) ୮ଟି ଜିଲ୍ଲାରେ ବର୍ଷା ହେବ । ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଥିସହ ଆଗାମୀ ଦୁଇ ଦିନ ଓଡିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି ବଳୟ ଦେଖାଯିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ଆସନ୍ତାକାଲି(ଶୁକ୍ରବାର) ସକାଳୁ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଯାଜପୁର, ଭଦ୍ରକ ଏବଂ କଟକ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ଦେଖାଯିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ