ଭୁବନେଶ୍ବର: ରାଜ୍ୟରେ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବରେ ସ୍ଥଗିତ ରଖିବା ପାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଚିଠି ଲେଖିଛନ୍ତି । ଏନେଇ କେନ୍ଦ୍ର କୋଇଲା ଓ ଖଣି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ୪୧ଟି କୋଲ ବ୍ଲକ ମଧ୍ୟରୁ ଓଡ଼ିଶାର ୯ଟି ରହିଛି । ଏସବୁର ମୋଟ ୧୦ ହଜାର ୭୫୦ ନିୟୁତ ଟନ କୋଇଲା ମହଜୁଦ ରହିଛି । କେନ୍ଦ୍ରର ସଂସୋଧିତ ନିର୍ଘଣ୍ଟ ଅନୁସାରେ ୨୦୨୦ ସେପ୍ଟେମ୍ବର ୨୯ରେ ବିଲ ଦାଖଲର ଶେଷ ତାରିଖ ରହିଥିବା ବେଳେ, ୨୦୨୦ ଅକ୍ଟୋବର ୧୯ ତାରିଖରୁ ନଭେମ୍ବର ୯ ତାରିଖ ମଧ୍ୟରେ ଇ- ନିଲାମ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଥିଲା।
ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଖଣିଜ କାରବାର ବେଶ ପ୍ରଭାବିତ ହୋଇଛି । ଏଥିସହିତ ବିଗତ ବର୍ଷ ତୁଳନାରେ କୋଇଲା ବଜାର ମୁଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଯଦି ଏହି ପରିସ୍ଥିତିରେ ନିଲାମ ହୁଏ ନିଲାମ ଡାକ କମିବ ବୋଲି ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଲିଜ ଅବଧି ୩୦ ବର୍ଷ ରହିଥିବାରୁ ରାଜ୍ୟର କୋଇଲା ରାଜସ୍ବ ଉପରେ ପ୍ରଭାବ ପଡିବ ବୋଲି ମନ୍ତ୍ରୀ ଆଶଙ୍କା କରିଛନ୍ତି ।
ଏହାସହ ଏହି ନିଲାମ ପ୍ରକ୍ରିୟାକୁ ୩ ମାସ ଘୁଞ୍ଚାଇବା ପାଇଁ କହିଛନ୍ତି। ତୁରନ୍ତ ପଦକ୍ଷେପ ନେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି। ପରିସ୍ଥିତି ଅନୁକୂଳ ହେଲେ ବଜାର ସ୍ଥିତି ଉପଯୁକ୍ତ ହେଲେ ନିଲାମ କରିବା ପାଇଁ ଚିଠିରେ ଲେଖିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ