ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ଦିନ କେଇଟା ବାକି ଅଛି । ଏନେଇ ଆଜି ଅପରାହ୍ନରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରାରେ କୌଣସି ପ୍ରକାର ସମସ୍ୟାକୁ ଏଡ଼ାଇବା ଲାଗି ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଆଇନ ବିଭାଗର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ସାମିଲ ହେବେ ଏଥି ସହ ପୁରୀ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ।
କୋଭିଡ କଟକଣା ଭିତରେ ସୁରୁଖୁରୁରେ ରଥଯାତ୍ରା କିପରି ଆୟୋଜନ ହେବ ସେନେଇ ବୈଠକରେ ଆଲୋଚନା ହେବ । ଗତବର୍ଷ ରଥଯାତ୍ରା କୋଭିଡ କଟକଣା ଭିତରେ ହୋଇଥିଲା । ଚଳିତବର୍ଷ ମଧ୍ୟ ସେହିପରି କଟକଣା ଭିତରେ ରଥଯାତ୍ରା କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଦ୍ବିତୀୟ ଲହର ଜାରି ରହିଥିବାବେଳେ ପୁରୀ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇନାହିଁ ।
ତେଣୁ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ରଥଯାତ୍ରା ସମାପନ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର । ସ୍ନାନଯାତ୍ରା ସୁରୁଖୁରରେ ଶେଷ ହୋଇଥିବାବେଳେ ରଥଯାତ୍ରା ଠିକ୍ ସେହିପରି ହେବ ବୋଲି ଆଶା ରଖିଛନ୍ତି ସରକାର । ଏବେ ତିନି ରଥ ନିର୍ମାଣ କାର୍ଯ୍ୟରେ ଶେଷ ସ୍ପର୍ଶ ଦିଆଯାଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ