ଭୁବନେଶ୍ବର: ଓଡିଶାକୁ ଫେରିବେ ପ୍ରବାସୀ ଓଡିଆ ଶ୍ରମିକ। ଲକ୍ଷ ଲକ୍ଷ ଲୋକ ଆସିବେ। ସେମାନଙ୍କୁ ସହଯୋଗ କରିବାକୁ ଭିଡିଓ ମେସେଜ ଜରିଆରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ କହିଛନ୍ତି, ‘ଗତ 10 ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା 61 ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ।’
ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା। ଓଡିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି। ଆପଣମାନେ ସହଯୋଗ କଲେ ବୋଲି ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହାପରେ ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦ୍ଦିନ୍ରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍ ଭାବରେ ଯତ୍ନ ନେବା। ଆପଣମାନେ ସହଯୋଗ କଲେ । ଆମେ ଏଥର ମଧ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ବୋଲି ସେ ଦର୍ଶାଇଛନ୍ତି।
ସେହିପରି ଆମର ତୃତୀୟ ଆହ୍ବାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ ନେବା । ରାଜ୍ୟରେ ବର୍ତ୍ତମାନ କୋରୋନା ପଜେଟିଭ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି 50 । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ ବୋଲି କହିବା ସହ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଦର୍ଶାଇଛନ୍ତି ।
ଅନ୍ୟପଟେ ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ ଆକ୍ରାନ୍ତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ଆମ ଭାଇଭଉଣୀ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ବାହାରୁ ଲୋକ ଆସିଲେ ପଜେଟିଭ ସଂଖ୍ୟା ବଢିବ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ଆପଣମାନେ ସରକାରଙ୍କୁ ପୂରା ସହଯୋଗ ଯୋଗାଇ ଦେବେ ବୋଲି ସେ ଆୱାନ କରିଛନ୍ତି ।
ସେହିପରି ଧୈର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । ସେମାନଙ୍କୁ କ୍ବାରେଣ୍ଟାଇନରେ ରଖିବାରେ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା । ଏହାଦ୍ବାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି 10 ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା 100 ଗୁଣ ବଢିଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି ।
ତେବେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ପରିସ୍ଥିତି ଭଲ ରହିଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୂରା ସହଯୋଗ ଯୋଗାଇଦେବା, ତେବେ ଓଡିଶା କୋରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ