ଭୁବନେଶ୍ବର: ଲୋକଙ୍କ ମୁହଁରେ ହସ ଆମ ପାଇଁ ବଡ ପୁରସ୍କାର । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡିଶାର ଅତୀତ ଗୌରବ ଫେରାଇ ଶିଖରରେ ପହଞ୍ଚାଇବାକୁ ବିଜୁ ବାବୁ କାମ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭିସି ଯୋଗେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଥମେ ସେ ବିଜୁ ପରିବାରର ସବୁ ସଭ୍ୟଙ୍କୁ ନମସ୍କାର କରିଛନ୍ତି । ପରେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଛନ୍ତି । ସେବା ଓ ସ୍ବାଭିମାନ ବିଜୁ ବାବୁଙ୍କର ଲକ୍ଷ୍ୟ ଥିଲା । ଯାହା ବିଜେଡିର ଲକ୍ଷ୍ୟ । ତେଣୁ ଓଡ଼ିଶାବାସୀଙ୍କ ପ୍ରିୟ ଦଳ ହୋଇ ବିଜେଡି ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ଗାଁ କଚ୍ଚା ଘର, ପକ୍କା ହେଉଛି । ପାଣି, ବିଜୁଳିରେ ଘର ଉଜ୍ଜ୍ବଳ ଦିଶୁଛି । ସେତେବେଳେ ତା ମୁହଁରେ ହସ ଆସୁଛି । ଏହା ଆମ ପାଇଁ ବଡ଼ ପୁରସ୍କାର ବୋଲି ନବୀନ କହିଛନ୍ତି । ସେପଟେ ମାଆ ଯେବେ ପଞ୍ଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ବଳ ଦିଶୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି । ଯୁବ ସମାଜ ସ୍ବପ୍ନ ସାକାର ହେଉଛି । ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେ ପରିପ୍ରକାଶ ହେଉଛି । ଆହୁରି ବାଟ ଆଗକୁ ଯିବାକୁ ଅଛି । ହେଲେ ଆହୁରି ଅଧିକ କାମ କରିବାକୁ ହେବ । ଆସନ୍ତୁ ମିଳିମିଶି ତାଙ୍କ ମାର୍ଗରେ ସେବା କରିବାକୁ ସଂକଳ୍ପ ନେବା । ଓଡ଼ିଶା ସ୍ବାଭିମାନ ପାଇଁ କାମ କରିବା ବୋଲି ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବରରୁ ତପନ ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ