ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୭୫ ଟି ସ୍କୁଲ ରୂପାନ୍ତରିତ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୬ଟି ସ୍କୁଲର ରୂପାନ୍ତରଣ ହୋଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟିକ ପରିବର୍ତ୍ତନ ନୁହେଁ । ଏହା ପିଲା ମାନଙ୍କର ମାନସିକ ସ୍ତରରେ ବିରାଟ ପରିବର୍ତ୍ତନ ଆଣିପାରିଛି । ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି । ଭବିଷ୍ୟତରେ ସେମାନେ ସଫଳ ହେବା ସହିତ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବେ । ସ୍କୁଲ ରୂପାନ୍ତର ବାସ୍ତବରେ ଓଡିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି । ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶାର ଝଲକ ଦେଖିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗୀରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପିତ କରିଛନ୍ତି । ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶେଷ ହୋଇଛି । କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି ବଲାଙ୍ଗୀରରୁ ଅଞ୍ଜନେୟ ଏହଂ ଯାଜପୁରରୁ ମନୀଷା ଆଦି ଛାତ୍ରଛାତ୍ରୀ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଛନ୍ତି । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ । ସେ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟରେ ୩୯୮୧ଟି ହାଇସ୍କୁଲ ରୂପାନ୍ତରଣ ଶେଷ ହୋଇଛି । କୋଭିଡ ଓ ପଂଚାୟତ ନିର୍ବାଚନ ପରି ଆହ୍ୱାନ ମୂଳକ ସମୟ ସତ୍ତ୍ୱେ ଏହା ସଫଳ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ରଘୁରାମ ପଡଲ ଓ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ ପ୍ରମୁଖ ଉଦବୋଧନ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିସନର ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିବାବେଳେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର