ଭୁବନେଶ୍ବର: ରାତି ପାହିଲେ ସ୍ବାଧୀନତା ଦିବସ । ଦେଶ ପାଳନ କରିବ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି । ଏହାକୁ ନେଇ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ହର୍ ଘର୍ ତ୍ରିରଙ୍ଗା ଅଭିଯାନ । ଏହି ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ମଧ୍ୟ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପାଳନ ହୋଇଛି । ସିଆଇଏସ୍ଏଫ୍(CISF) ୟୁନିଟ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ବିମାନ ବନ୍ଦର ଯାତ୍ରୀଙ୍କୁ ଜାତୀୟ ପତାକା ଉପହାର ରୂପେ ପ୍ରଦାନ କରିଛନ୍ତି ।

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପ୍ରତିଟି ନାଗରିକଙ୍କ ହୃଦୟରେ ଦେଶଭକ୍ତି ଜାଗ୍ରତ କରିବା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଲକ୍ଷ୍ୟ । ତେଣୁ ଭାରତର କୋଣ ଅନୁକୋଣରୁ ଭୁବନେଶ୍ବର ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ହୃଦୟରେ ଦେଶପ୍ରେମ ସୃଷ୍ଟି କରିବା ଲକ୍ଷ୍ୟରେ ସେମାନଙ୍କୁ ଜାତୀୟ ପତାକା ବଣ୍ଟନ କରିଛନ୍ତି CISF ୟୁନିଟ । CISF ଟିମ୍ ଯାତ୍ରୀମାନଙ୍କୁ ପାଖାପାଖି ୬୦୦ରୁ ଊର୍ଦ୍ଧ୍ବ ଜାତୀୟ ପତାକା ବଣ୍ଟନ କରି ଖୁସି ସାଉଁଟିଛନ୍ତି । ଏହାସହିତ ସେମାନଙ୍କୁ ଜାତୀୟ ପତାକାର ମହତ୍ତ୍ଵ ଜଣାଇବା ସହ ଘରେ ଘରେ ଉଡ଼ାଇବା ନେଇ ସଚେତନ ମଧ୍ୟ କରିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର