ଭୁବନେଶ୍ବର: ବର୍ତ୍ତମାନ କୋରୋନା କବଳରେ ଶିଶୁ । ରାଜ୍ୟରେ ପ୍ରଥମ ଲହର ପରେ ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି । କୋରୋନାରେ ଆକ୍ରାନ୍ତ ହେବା ପରେ ଶିଶୁଙ୍କଠାରେ ଏମଆଇ ସିଣ୍ଡ୍ରୋମା ଦେଖା ଦେଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ରାଜ୍ୟରେ ପ୍ରତ୍ୟେକ ଦିନ ୧୦୦କୁ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି । ସଂକ୍ରମିତ ହେବାର ମାସେ ପରେ ପିଲାଙ୍କ ମଧ୍ୟରେ ମଲ୍ଟି ସିଷ୍ଟମ ଇନ୍ଫଆମେଣ୍ଟରି ସିଣ୍ଡ୍ରୋମ ବା ଏମଆଇ ସିଣ୍ଡ୍ରୋମା ହେବାର ସମ୍ଭାବନା ରହିଛି । ପ୍ରଥମ ଲହରରେ ଏହା ଚିହ୍ନଟ ହୋଇନଥିଲା । ଦ୍ବିତୀୟ ଲହରରେ ଶିଶୁଙ୍କଠାରେ ଏହି ଲକ୍ଷଣ ଦେଖାଯାଉଥିବା କହିଛନ୍ତି ଡାକ୍ତର । କୋଭିଡରୁ ସୁସ୍ଥ ହେବାର ଏକ ମାସ ପରେ ପିଲାଙ୍କ ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି ହେଉଛି । ଏହି ଲକ୍ଷଣ ଦେଖାଯିବା ମାତ୍ରେ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରିବାରୁ ପରାମର୍ଶ ଦେଇଛନ୍ତି ଡାକ୍ତର ।
ଏହି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ଯେତେ ସମ୍ଭବ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ଜିଲ୍ଲା ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଓ ବେଡ଼ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ICU ଓ HDU ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି । ଖୁବ ଶୀଘ୍ର ସବୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ । ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ରହିଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ