ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନରେ ବାଲ୍ୟ ବିବାହ ମୁକ୍ତ ନେଇ ଏକ ଅଭିଯାନ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ପ୍ରାୟ 500 ନାରୀ ନେତ୍ରୀ ଓ ସ୍ଵେଚ୍ଛାସେବୀମାନେ ଏହାର ଶୁଭାରମ୍ଭ କରିଛନ୍ତି । ମାଷ୍ଟର କ୍ୟାଣ୍ଟିନଠାରୁ ଆରମ୍ଭ କରି ରାମ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ବାଲ୍ୟ ବିବାହ ଭାରତରେ ଏକ ଘୁଣ୍ୟ ସାମାଜିକ ପରମ୍ପରା । ବାଲ୍ୟ ବିବାହ ମୁକ୍ତ ନେଇ ଏକ ଅଭିଯାନ ଶୁଭାରମ୍ଭ ହୋଇଛି ।
ଭାରତ ବର୍ଷରେ ପ୍ରାୟ 23 ଭାଗରୁ ଅଧିକ ଝିଅ ବଧୂ ସାଜି ଶାଶୁଘରକୁ ଚାଲିଯାନ୍ତି ଓ ସେଠାରେ ଶାରୀରିକ ମାନସିକ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । 2020 ମସିହାରେ ସମଗ୍ର ଭାରତ ବର୍ଷରେ ମାତ୍ର 738ଟି ବାଲ୍ୟ ବିବାହ ସମ୍ବନ୍ଧୀୟ ମାମଲା ଦାୟର ହୋଇଥିବା ଏକ ଚିନ୍ତାଜନକ ବିଷୟ। ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରତ୍ୟେକ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, "ବାଲ୍ୟ ବିବାହକୁ ରୋକିବାରେ ଶିକ୍ଷା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ମୁଖ୍ୟମନ୍ତ୍ରୀଙ୍କ ନାରୀ ସଶକ୍ତିକରଣରେ ନାରୀମାନେ ଆଗକୁ ପଢିଛନ୍ତି । ଏହାକୁ ଆହୁରି ସଚେତନାତା ଆବଶ୍ୟକ । ଶିକ୍ଷାକ୍ଷେତ୍ରରେ ମଧ୍ୟ ଏହାକୁ ଗୁରୁତ୍ଵ ଦେବାକୁ ପଡିବ । ବାଲ୍ୟ ବିବାହକୁ ରୋକିବା ଏକ ସାମାଜିକ କର୍ତ୍ତ୍ୟବ୍ୟରେ ପରିଣତ ହୋଇଛି ।"
ଏହା ମଧ୍ୟ ପଢନ୍ତୁ: ଗାନ୍ଧୀ ପରିବାରର ପରାମର୍ଶ ନେବାରେ କୌଣସି ଲଜ୍ଜା ନାହିଁ: ଖାଡଗେ
ଏନେଇ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର କହିଛନ୍ତି ଯେ, "2006 ବାଲ୍ୟ ବିବାହ ଆଇନ ଅନୁସାରେ 18 ବର୍ଷରୁ କମ ବର୍ଷର ଝିଅ ଓ 21 ବର୍ଷରୁ କମ ବୟସର ପୁଅ ବିବାହ କାଲେ ତାହା ବାଲ୍ୟ ବିବାହରେ ଗଣତି କରାଯାଏ । ଏଭଳି ବିବାହ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ତେବେ ଏହାକୁ ସରକାର କଡାକଡି ଭାବରେ ପାଳନ କରିଛନ୍ତି । ଏହାକୁ ରୋକିବାକୁ ଜିଲ୍ଲା ସ୍ତରରେ କାର୍ଯ୍ୟ କରାଯାଉଛି । ଜିଲ୍ଲାପାଳ ଏବଂ CWC ମାନେ ପ୍ରତି ଗାଁରେ ସଚେତନ କରୁଛନ୍ତି । ରାଜ୍ୟରେ ଅନେକ ଜିଲ୍ଲା ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ଆଗକୁ ମଧ୍ୟ ସମସ୍ତ ଜିଲ୍ଲା କିଭଳି ଭାବରେ ବାଲ୍ୟ ବିବାହ ମୁକ୍ତ ହୋଇପାରିବ ସେନେଇ କାର୍ଯ୍ୟ କରାଯାଉଛି ।" ଏହି ଅବସରରେ ପ୍ରାୟ 500 ନାରୀ ନେତ୍ରୀ ଓ ସ୍ଵେଚ୍ଛାସେବୀମାନେ ମାଷ୍ଟର କ୍ୟାଣ୍ଟିନ ଠାରେ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ସାମଲ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର