ଭୁବନେଶ୍ବର: ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢୁଛି । ତେଣୁ ଟିକାକରଣ, ସଚେତନତା ଏବଂ ସଠିକ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦିଅ । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
![ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧିନ, ଟିକାକରଣ, ସତର୍କତା ଓ ସଠିକ ସୂଚନା ଉପରେ ଗୁରୁତ୍ୱ](https://etvbharatimages.akamaized.net/etvbharat/prod-images/od-bbsr-09-cs-kovid-review-7209787_14072022201125_1407f_1657809685_36.jpg)
ଲୋକସେବା ଭବନରେ ଆଜି ଅପରାହ୍ନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କୋଭିଡ ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । ଜିଲ୍ଲାୱାରୀ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଲୋକଙ୍କ ମଧ୍ୟରେ ମାସ୍କ ପରିଧାନ, ଶାରିରୀକ ଦୂରତା, ଭିଡ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ବିଷୟରେ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲ ସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ ସୂଚନା ପ୍ରଦାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
![ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧିନ, ଟିକାକରଣ, ସତର୍କତା ଓ ସଠିକ ସୂଚନା ଉପରେ ଗୁରୁତ୍ୱ](https://etvbharatimages.akamaized.net/etvbharat/prod-images/od-bbsr-09-cs-kovid-review-7209787_14072022201125_1407f_1657809685_1028.jpg)
ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୨୬୨ ଆକ୍ଟିଭ କୋଭିଡ କେସ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ପିଲାଙ୍କ ସଂଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ ଆଇସୋଲେସନ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଆଡମିସନ ହୋଇଛନ୍ତି । ପ୍ରତ୍ୟେକ ମେଡିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ ୱାର୍ଡ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ହସ୍ପିଟାଲ ଏବଂ ବେଡ ସଂଖ୍ୟା ବଢାଇବା ପାଇଁ ପ୍ରତି ଜିଲ୍ଲା ପ୍ରସ୍ତୁତ ଅଛି । ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ସମସ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଜିଳ୍ଲାପାଳ ଏବଂ ପୌର ପରିଷଦ କମିଶନରମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଅଞ୍ଚଳର କୋଭିଡ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି ।
![ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧିନ, ଟିକାକରଣ, ସତର୍କତା ଓ ସଠିକ ସୂଚନା ଉପରେ ଗୁରୁତ୍ୱ](https://etvbharatimages.akamaized.net/etvbharat/prod-images/od-bbsr-09-cs-kovid-review-7209787_14072022201125_1407f_1657809685_3.jpg)
ଇଟିଭି ଭାରତ, ଭୁବନେଶ୍ବର