ଭୁବନେଶ୍ବର: ରାଜ୍ୟରେ 5ଟି ଶିଳ୍ପ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । 1.46 ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ହେବା ଫଳରେ ରାଜ୍ୟରେ 26,959 ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକ । ଭିସିରେ ବସିଥିବା ଏହି ବୈଠକରେ 5ଟି ଶିଳ୍ପ ପ୍ରତିଷ୍ଠାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
![1.46 ଲକ୍ଷ କୋଟିର 5 ଶିଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, 27 ହଜାର ନିଯୁକ୍ତି ସୃଷ୍ଟି](https://etvbharatimages.akamaized.net/etvbharat/prod-images/od-bbsr-08-hlca-meeting-7209787_06072021191214_0607f_1625578934_1037.jpg)
କୋଭିଡ଼ ସତ୍ତ୍ବେ ରାଜ୍ୟରେ 2020-21 ଆର୍ଥିକବର୍ଷରେ ପ୍ରାୟ 2.96 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଶିଳ୍ପ ପ୍ରତିଷ୍ଠା ଲାଗି ସରକାର କରିଥିବା ବ୍ୟବସ୍ଥା ବଡ଼ ଶିଳ୍ପ ମାନଙ୍କୁ ରାଜ୍ୟ ଆକର୍ଷିତ କରିବାରେ ସକ୍ଷମ ହୋଇଛି । ଦେଶର ପ୍ରମୁଖ ପୁଞ୍ଜି ବିନିଯୋଗର ହବରେ ପରିଣତ ହୋଇଛି ଓଡିଶା ।
ମୁଖ୍ୟମନ୍ତ୍ରୀଙ୍କ ଭିଜନ 2030 ସୁଦ୍ଧା ଓଡିଶା ହେବ 'ଷ୍ଟିଲ୍ ହବ୍ ଅଫ୍ ଇଣ୍ଡିଆ'କୁ ବଡ଼ ସଫଳତା । ଏହି ଭିଜନକୁ ସଫଳ କରିବା ଲାଗି ହାଇ-ଲେଭଲ୍ କ୍ଲିୟରାନ୍ସ ଅଥରିଟି ଆଜି 1.46 କୋଟି ଟଙ୍କାରେ 5 ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି । ମେଟାଲ୍ ଏବଂ ମେଟାଲ୍ ଡାଉନଷ୍ଟ୍ରିମ ସେକ୍ଟରରେ ଏହି ପାଞ୍ଚଟି ଶିଳ୍ପ ପ୍ରକଳ୍ପ ରାଜ୍ୟରେ ପ୍ରତିଷ୍ଠା ହେଲେ ପ୍ରାୟ 27 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(5T) ଭି.କେ ପଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁମୋଦନ ପାଇଥିବା ପାଞ୍ଚଟି ପ୍ରକଳ୍ପ:-
1- ଭୂଷଣ ପାୱାର ଓ ଷ୍ଟିଲ ଲିମିଟେଡ଼ ପକ୍ଷରୁ ସମ୍ବଲପୁରର ରେଙ୍ଗାଲୀଠାରେ 55 ହଜାର କୋଟି ବିନିଯୋଗରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ହେବ । 5 MMTPA ରୁ 15 MMTPA ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇପାରୁଥିବା ଏହି ଶିଳ୍ପ ପ୍ରତିଷ୍ଠା ହେଲେ 10 ହଜାରରୁ ଅଧିକ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
2- ଟାଟା ଷ୍ଟିଲ ଲିମିଟେଡର ପକ୍ଷରୁ ଅଶୋଧିତ ଇସ୍ପାତ ଉତ୍ପାଦନ ଶିଳ୍ପ ସମ୍ପ୍ରସାରିତ ହେବ । ଯାଜପୁର କଳିଙ୍ଗନଗରରେ ସମ୍ପ୍ରସାରିତ ହେବାକୁ ଥିବା ଶିଳ୍ପରେ ପ୍ରାୟ 48 ହଜାର କୋଟି ବିନିଯୋଗ ହେବ । 3 MTPAରୁ 8 MTPA, ହଟ ରୋଲଡ କୋଇଲା 3 MTPA ରୁ 7 MTPA, 2.2 MTPA କୋଲ୍ଡ ରୋଲଡ ଉତ୍ପାଦ ଏବଂ 2 MTPA ଉତ୍ପାଦ ଶିଳ୍ପ ପ୍ରତିଷ୍ଠା ହେବ । ଯାହା ଦ୍ୱାରା ପ୍ରାୟ 4,625 ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
3- ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର 6 MTPA ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନାର ସମ୍ପ୍ରସାରଣ ହେବ । ଏହା 18.6 MTPA ରୁ 25.2 MTPA ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଅନୁଗୁଳରେ ଥିବା ଏହି ଶିଳ୍ପରେ ପ୍ରାୟ 25 ହଜାର କୋଟି ବିନିଯୋଗ ହେବ । ଏଥିରେ ହଜାରେରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ବିରୁଦ୍ଧରେ, ଯାହା 1000 ରୁ ଅଧିକ ଲୋକଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ବିନିଯୋଗରେ JSPLର ମୋଟ ବିନିଯୋଗ 1 ଲକ୍ଷ 670 କୋଟିରେ ପହଁଚିବ । ଯାହା ବିଶ୍ୱର ଏକକ ସ୍ଥାନରେ ଅବସ୍ଥିତ ସର୍ବବୃହତ ଇସ୍ପାତ କାରଖାନା ହେବ ।
4- ଢେଙ୍କାନାଳର ଝରବନ୍ଧରେ ଥିବା ରୁଙ୍ଗଟା ମାଇନ୍ସ ଲିମିଟେଡର ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନା ସମ୍ପ୍ରସାରିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପ୍ରସ୍ତାବିତ କ୍ଷମତା 2.85 MMTPA ଠାରୁ 7.55 MMTPA କୁ ବୃଦ୍ଧି କରିବା ସହ 4.7 MMTPA କ୍ଷମତା ଯୋଡିହେବ । 11 ହଜାର କୋଟି ସମ୍ପ୍ରସାରିତ ଏହି ପ୍ରକଳ୍ପରେ 6,200ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ।
5- ସେହିପରି କେନ୍ଦୁଝରର କରଖେନ୍ଦ୍ରରେ ରୁଙ୍ଗଟା ମାଇନ୍ସ ଲିମିଟେଡର ଇସ୍ପାତ କାରଖାନାର ସମ୍ପ୍ରସାରିତ କରାଯିବ । 7,920 କୋଟି ବିନିଯୋଗରେ ଏହାର କ୍ଷମତା 0.53 MMTPA ରୁ 3 MMTPA ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଯାହା ଫଳରେ 5,134 ରୁ ଅଧିକ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ