ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଦ୍ବାରା ଲିଖିତ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ’କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଷ୍ଣୁପଦଙ୍କ ରଚିତ ଏହି କବିତା ପୁସ୍ତକରେ ଜୀବନର ଅନୁଭୂତି, ମୃତ୍ୟୁର ଉପଲବ୍ଧି ଓ ଦାର୍ଶନିକ ଅନୁଧ୍ୟାନର ଏକ ପ୍ରତିଫଳନ । ମୋଟାମୋଟି ଭାବେ ଏହି ପୁସ୍ତକ ଏକ ଯାତ୍ରା । ଯାହା ଜୀବନର ଅସଂଖ୍ୟ ପ୍ରକାର ଭେଦ । ତା ପରର ଅଜ୍ଞାତ ଜଗତକୁ ଖୋଜିବାକୁ ଚେଷ୍ଟା କରିଛି ।
ତେବେ ଏହି ପୁସ୍ତକର ମୁଖବନ୍ଧ ଲେଖିଛନ୍ତି ପ୍ରତିଷ୍ଠିତ କବି ହରପ୍ରସାଦ ଦାସ । ୧୬୧ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକର ପ୍ରଚ୍ଛଦ ଆଙ୍କିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ । ୬୧ଟି କ୍ଷୁଦ୍ର ପଦ୍ୟ ସମ୍ଭଳିତ ପୁସ୍ତକ ପ୍ରକାଶକ ହେଉଛନ୍ତି ନୂଆଦିଲ୍ଲୀ ସ୍ଥିତ ହର୍ ଆନନ୍ଦ ପବ୍ଳିକେସନ୍ । ବିଷ୍ଣୁପଦ ବର୍ତ୍ତମାନ ରାଜ୍ୟ ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ । ଏହା ସହ ସେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ।
ସେ ଜଣେ ଉଚ୍ଚକୋଟୀର ସାରସ୍ବତ ସ୍ରଷ୍ଟା ଭାବେ ବେଶ ପରିଚିତ । ବିଷ୍ଣୁପଦଙ୍କ ଦ୍ଵାରା ଲିଖିତ ଅନେକ ଗଦ୍ୟ, ପଦ୍ୟ, ଅଣୁ ଗଳ୍ପ ପ୍ରକାଶ ପାଇ ସରିଛି । ଏଥିପାଇଁ ବିଷ୍ଣୁପଦଙ୍କୁ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ