ମାଲକାନଗିରି: ଜିଲ୍ଲାରେ ୬ଟି ରୂପାନ୍ତରିତ ହାଇ ସ୍କୁଲକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଟୁଆଲ ମାଧ୍ଯମରେ ଲୋକାର୍ପିତ କରିଛନ୍ତି । ଏହାକୁ ନେଇ ମାଲକାନଗିରି ସଦର ମହକୁମାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ବିଶାଳ ସିଂ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ପାପୁନୀ ମାଣ୍ଡି ମଞ୍ଚାସୀନ ହୋଇ ରୂପାନ୍ତରିତ ବାଳିକା ସ୍କୁଲ ସମ୍ପର୍କରେ ମତବ୍ଯକ୍ତ କରିଥିଲେ ।
ସ୍ମାର୍ଟ ସ୍କୁଲ୍ରେ ସ୍ମାର୍ଟ କ୍ଲାସ ରୁମ, ଉନ୍ନତମାନର ବିଜ୍ଞାନଗାର, ଇ-ଲାଇବ୍ରେରୀ,ସ୍ମାର୍ଟ କ୍ଲାସ, ପାନୀୟ ଜଳ ବ୍ଯବସ୍ଥା,ପାଇଖାନା, ଖେଳ ପଡ଼ିଆ ଆଦି ରହିଛି । ଦ୍ବିତୀୟ ପର୍ଯ୍ଯାୟରେ ମାଲକାନଗିରି ଜିଲ୍ଲାରେ ଆଉ ୪୭ ହାଇ ସ୍କୁଲକୁ ରୂପାନ୍ତରିତ କରା ଯିବାର ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି ।
ଛାତ୍ରଛାତ୍ରୀ ସେମାନଙ୍କ ନବକଳେବର ଉଚ୍ଚ ବିଦ୍ଯାଳୟକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଇ ଲାଇବ୍ରେରୀ ଯୋଗୁଁ ବିଦ୍ଯାର୍ଥିମାନେ ବିଶ୍ବର ସମସ୍ତ ତଥ୍ଯ ପାଇପାରିବେ । ଏହା ବ୍ଯତୀତ କାଲିମେଳା,ପଡିଆ,କେ ଗୁମ୍ମା,ମାଥିଲି ଓ ଖଇରପୁଟ ହାଇସ୍କୁଲ ଗୁଡିକୁ ରୂପାନ୍ତରିତ କରାଯାଇ ଉଦଘାଟନ କରାଯାଇଛି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ