ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଫୁଲବାଣୀରେ 500ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ପାଞ୍ଚଟି ଜିଲ୍ଲାରେ ରହିଥିବା ହସ୍ପିଟାଲର ଭିତ୍ତିଭୂମି ସହିତ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ବୌଦ୍ଧ ଜିଲ୍ଲା ପାଇଁ ଘୋଷଣା କରିଛନ୍ତି ସହାୟତା ରାଶି । ‘ମୋ ସରକାର’ ଯୋଜନା ମାଧ୍ୟମରେ ଏହି ସବୁ ଜିଲ୍ଲାର ବିକାଶ କରାଯିବାକୁ ନିଷ୍ପତି ନିଆଯାଇଛି ।
ବୌଦ୍ଧ ଜିଲ୍ଲା ମୁଖ୍ୟ ହସ୍ପିଟାଲର ବେଡ ସଂଖ୍ୟାକୁ 200କୁ ବୃଦ୍ଧି କରାଯିବ । ଏହା ସହିତ ଜିଲ୍ଲାକୁ ଗୋଟିଏ ଆମ୍ବୁଲାନ୍ସ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ବେଡ୍ ସଂଖ୍ୟା 250କୁ ବୃଦ୍ଧି କରାଯିବ । ସେହିପରି ଜିଲ୍ଲାରେ ଏକ ନୂତନ 100 ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣ କରାଯିବା ସାଙ୍ଗକୁ ଦୁଇଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।
କଳାହାଣ୍ଡି ଜିଲ୍ଲାରେ 100 ଶଯ୍ୟା ବିଶିଷ୍ଟ ଏକ ନୂତନ ଗୃହ, ତିନୋଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ପ୍ରଦାନ କରାଯିବ । କଳାହାଣ୍ଡି ଜିଲ୍ଲାରେ ସମାନ ଭାବରେ 100 ଶଯ୍ୟା ବିଷିଷ୍ଟ ଗୃହ, ଦୁଇଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ । ସେହିପରି ରାୟଗଡ଼ା ମେଡିକାଲର ପାନୀୟ ଜଳ ଯୋଗାଣ, ଗୋଟିଏ ମହାପ୍ରୟାଣ ଗାଡ଼ି ଓ ଚାରୋଟି ଆମ୍ବୁଲାନ୍ସ ଦିଆଯିବ । ନୂଆପଡ଼ା ଜିଲ୍ଲାକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ