ଭୁବନେଶ୍ବର: ଆଜି (ମଙ୍ଗଳବାର) ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଲା ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚାପ ଖେଳିଛନ୍ତି ବାବା ଲିଙ୍ଗରାଜ । ସନ୍ଧ୍ୟାରେ ପ୍ରଭୁ ଲିଙ୍ଗରାଜ, ମା' ପାର୍ବତୀ , ମା' ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବା ସହ ଚନ୍ଦନ କୁମ୍ବରେ ବୁଡ଼ ପକାଇଛନ୍ତି ।
ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ସକାଳ ୬ଟାରୁ ମଙ୍ଗଳ ଆରତି ପରେ ଦିନ ୧୨ ଟା ପର୍ଯ୍ୟନ୍ତ ସାହାଣ ମେଳା କରାଯାଇଥିଲା । ଏହାପରେ ସାହାଣ ମେଳାକୁ ବନ୍ଦ କରାଯାଇ ଛାମୁ ପରିଷ୍କାର କରାଯାଇଥିଲା । ପରେ ଶ୍ରୀଲିଙ୍ଗରାଜଙ୍କ ଅନ୍ୟାନ୍ୟ ନୀତିକାନ୍ତି ଚାଲିଥିଲା । ସନ୍ଧ୍ୟା ୫ଟାରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ସମସ୍ତ ନୀତି ସମାପନ ପରେ ଠାକୁର ବିନ୍ଦୁସାଗର ବ୍ରହ୍ମଘାଟ ଅଭିମୁଖେ ଯାତ୍ରା କରିଥିଲେ । ଏହାପରେ ପାଲିଙ୍କିରେ ବସି ଦିଅଁ ବୁଲିବା ପାଇଁ ବାହରିଥିଲେ । ଠାକୁର ପ୍ରଥମେ ଭୋଗ ଖାଇବା ପରେ ୮ ଘେରା ଭଉଁରି ଖେଳି ଜଗତିକୁ ଯାଇଥିଲେ ।
ଏଥିପାଇଁ ଜଗତିରେ ଚୂନ ପାଣି ପଡି ଜଗତି ପ୍ରତିଷ୍ଠା କରାଯାଇଛି । ସେଠାରେ ନୀତିକାନ୍ତି ସମ୍ପନ୍ନ ହେବା ପରେ ଚନ୍ଦନ ପାଣିରେ ବୁଡ଼ ପକାଇଛନ୍ତି ବାବା ଲିଙ୍ଗରାଜ । ଚନ୍ଦନ କୁଣ୍ଡରେ ଅଗୁରୁ, ଚନ୍ଦନ, ମଲ୍ଲୀ, ଚମ୍ପା ଫୁଲ ପକାଇ ଜଳକୁ ସୁବାସିତ କରାଯାଇଥିଲା । ଏହାପରେ ଗୋଟିଏ କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ଋକ୍ମିଣୀ ଓ ବାସୁଦେବ ବୁଡ଼ିଥିଲେ । ଏହି ନୀତି ପରେ ଠାକୁରମାନେ ଜଗତରୁ ବାହାରି ଜଗତ ଚାରିପଟେ ଡଙ୍ଗାରେ ଭଉଁରି ଖେଳି ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦିଅଁଙ୍କୁ ପାଲିଙ୍କିରେ ବସାଇ ନିଆଯିବା ପାଇଁ ପାଲିଙ୍କିକୁ ସୁଗନ୍ଧିତ ଫୁଲରେ ସୁସଜ୍ଜିତ କରାଯାଇଛି ।
ସେହିପରି ଚାପ ଖେଳ ପାଇଁ ନୌକାକୁ ଫୁଲ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ୨୨ଦିନ ଧରି ମହାପ୍ରଭୁଙ୍କର ଏ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅବସରରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବିନ୍ଦୁ ସାଗରକୁ ପରିଷ୍କାର କରାଯାଇଛି । ଏହି ସମୟରେ ପାଳିଆ ସେବାୟତଙ୍କ ସମେତ ଚନ୍ଦନ ଯାତ୍ରା ପାଳିଆ ସେବାୟତ, ସମସ୍ତ ନିଯୋଗର ସେବାୟତମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ