ଭୁବନେଶ୍ବର : ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା । ବର୍ଷାରେ ଦକ୍ଷିଣ ଓଡ଼ିଶା ବିଶେଷ ଭାବେ ପ୍ରଭାବିତ ହେବ । ଏହାସହ ରାଜ୍ୟର କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ତେବେ ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ, କେଉଁଝର, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ।
ସେହିପରି ୨୪ ଘଣ୍ଟା ପରେ ସୁନ୍ଦରଗଡ, ମୟୂରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜୁଲାଇ ପ୍ରଥମ ସପ୍ତାହରେ ବର୍ଷା ପରିମାଣ ବଢ଼ିଛି । ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହାରି ପ୍ରଭାବରେ ବର୍ଷା ଜାରି ରହିଛି ।
ସେପଟେ ଚଳିତ ବର୍ଷ ମୌସୁମୀ ଅଗ୍ରସର ହେବା ପରେ ବର୍ଷା ସ୍ଵାଭାବିକ ରହିଛି । ୧ ଜୁନ ରୁ ୧୨ ଜୁନ ମଧ୍ୟରେ ପ୍ରାକ୍ ମୌସୁମୀ ବଦଳରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିଥିଲା । ଏଥିସହ ଜୁନରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇନଥିବା ବେଳେ ବର୍ଷାର ପରିମାଣ କମିଛି ବୋଲି ପାଣିପାଗ ବିଭାଗ କହିଛି । ତେବେ କେବଳ କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ ଓ ପୁରୀ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଛି । ଅନ୍ଯପଟେ ଜୁଲାଇ ପହିଲାରୁ ମୌସୁମୀ ସକ୍ରିୟ ହୋଇ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର