ଭୁବନେଶ୍ବର: ଓଡିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ କରିବାକୁ ଆସିଛନ୍ତି ଟିମ୍ । ଏଥିରେ 7 ଜଣିଆ ସଦସ୍ୟ ରହିଛନ୍ତି ।
ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ସଦସ୍ୟ । ଏହାର ନେତୃତ୍ବ ନେଉଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରକାଶ । 4ଟି ଜିଲ୍ଲାରେ ବାତ୍ୟା କ୍ଷୟକ୍ଷତି ଆକଳନ କରିବ ଟିମ୍ ।
ଏଗୁଡିକ ହେଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଓ କେନ୍ଦ୍ରାପଡା । ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ 7 ଜଣିଆ ସଦସ୍ୟ । ବିଭିନ୍ନ ଗ୍ରୁପରେ ବିଭକ୍ତ ହୋଇ ଏମାନେ ପ୍ରଭାବିତ ଅଞ୍ଚଳ ବୁଲିବେ ।
ଟିମରେ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ରହିଛନ୍ତି । କୃଷି, ଅର୍ଥ, ରାଜସ୍ବ, ଜାତୀୟ ରାଜପଥ, ଶକ୍ତି ମନ୍ତ୍ରଣାଳୟର ଅଧିକାରୀ ଏଥିରେ ସାମିଲ ଅଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ ଟିମ୍ ସଦସ୍ୟ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ