ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପାଇଁ ବାଏ ଲ' ଓ କୋଟିଆ ସୀମା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଶ୍ରୀମନ୍ଦିର ୩୦୦ ମିଟର ନିୟନ୍ତ୍ରିତ ଅଞ୍ଚଳରେ କଟକଣା ଜାରି କରିବାକୁ ଜାତୀୟ ସ୍ମାରକ ପ୍ରାଧିକରଣ ଅଧିନିୟମ ଆଣିଛି । ଏହାକୁ ନେଇ ପୁରୀ ସେବାୟତଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରିଛନ୍ତି ।
ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, "ଜାତୀୟ ସ୍ମାରକ ପ୍ରାଧିକରଣ ବାଏ ଲ'କୁ ନେଇ ପୁଣିଥରେ ବିଚାର କରାଯିବ। ଜଗନ୍ନାଥ ହେଉଛନ୍ତି ଆମର ପ୍ରାଣକେନ୍ଦ୍ର, ଆଶା ଏବଂ ବିଶ୍ବାସର ପ୍ରତୀକ । ଅତୀତରେ ଜଗନ୍ନାଥଙ୍କୁ ପଣ୍ଡାମାନେ ଏବଂ ସୈନିକ ସୁରକ୍ଷା ଦେଇଛନ୍ତି। ବାଏ ଲ ଆଣିବା ପୂବରୁ ମନ୍ଦିର କର୍ତ୍ତୃପକ୍ଷ, ସେବାୟତ, ସେବାମଣ୍ଡଳୀ, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବାର ଆବଶ୍ୟକତା ରହିଥିଲା । ଏହାପରେ ନିଷ୍ପତ୍ତି ନିଆଯିବା ଥିଲା । ତେବେ ଆମେ ବିଚାର ବିମର୍ଶ କରି ଦଳ ତରଫରୁ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଇବୁ। ରାଜ୍ୟର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଉଦ୍ୟମ ହେବ। ଆମେ ଏ ବିଷୟରେ କେନ୍ଦ୍ରିୟ ଅଧିକାରୀଙ୍କ ସହ ଆଲୋଚନା କରିବୁ । ଯାହା ହେଲେବି ସେବାୟତ ଭାବାବେଗ ପ୍ରତି ସମ୍ମାନ ଦିଆଯିବ। ଏନେଇ ଖୁବଶୀଘ୍ର ଆମେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବୁ।"
କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳରେ ଆନ୍ଧ୍ର ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । ବର୍ତ୍ତମାନ ସେହି ଅଞ୍ଚଳର କେତେକ ସ୍ଥାନରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରାଇବାକୁ ଯାଉଥିବା ଖବର ମିଳିଥିଲା। ଏହାକୁ ନେଇ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି।
କୋଟିଆ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, "ରାଜ୍ୟର କୋଟିଆ ଅଞ୍ଚଳରେ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଛି। ଯାହା ଅତ୍ୟନ୍ତ ଚିନ୍ତାଜନକ। ଏହି ପ୍ରସଙ୍ଗକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି। ଦୁର୍ବଳ ନେତୃତ୍ବ ଯୋଗୁଁ ଆମ ରାଜ୍ୟର କିଛି ଅଂଶ ଅଲଗା ହେବାକୁ ବସିଛି । ଏଥିରେ ହସ୍ତକ୍ଷେପ କରିବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି । କୌଣସି ପରିସ୍ଥିତିରେ ଆନ୍ଧ୍ର ଆମ ରାଜ୍ୟରେ ନିର୍ବାଚନ କରିପାରିବ ନାହିଁ । ଏହି କ୍ଷେତ୍ରରେ ଆମେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ।"
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ