ଭୁବନେଶ୍ବର: ଜାତୀୟ ଜନଜାତି କମିସନର ସଦସ୍ୟ ଅନନ୍ତ ନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲାର ଆଦିବାସୀମାନଙ୍କ ସ୍ୱାର୍ଥରକ୍ଷା କରିବା ପରିବର୍ତ୍ତେ ଦୁର୍ନୀତିରେ ବୁଡ଼ି ରହି ଆଦିବାସୀଙ୍କ ସ୍ବାର୍ଥ ବିରୋଧୀ କାମ କରି ଆସୁଥିବା ଅଭିଯୋଗ ହୋଇଛି । ଜାତୀୟ ଜନଜାତି କମିଶନର ସଦସ୍ୟ ଭଳି ଏକ ମର୍ଯ୍ୟାଦାଜନକ ପଦର ଅପବ୍ୟବହାର କରି ଅନନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ବ୍ଲାକମେଲ କରିବା ସହିତ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା କେନ୍ଦୁଝର ଜିଲ୍ଲାର ଆଦିବାସୀ ସଂଗଠନ ଅଭିଯୋଗ କରିଛି । ତେବେ ଅଭିଯୋଗ ନେଇ ଅନନ୍ତ ନାୟକଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ବି ପ୍ରତିକ୍ରିୟା ମିଳିପାରିନାହିଁ ।
ଆଦିବାସୀ ସଂଗଠନ ପକ୍ଷରୁ ଭବାନୀ ଶଙ୍କର ନାୟକ ଅଭିଯୋଗ କରିଛନ୍ତି ଯେ, ଅନନ୍ତ ନାୟକ ବ୍ଲାକମେଲ କରି ଅର୍ଥ ଆଦାୟ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଖଣି ଓ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଧମକ ଚମକ ଦେଇ କମ୍ପାନିର ପାର୍ଟନରସିପ ଡିଡ ଏବଂ ଆର୍ଥିକ ତଥା ବ୍ୟବସାୟିକ ଦେଣନେଣର କାଗଜପତ୍ର ମାଗୁଛନ୍ତି । ପୂର୍ବରୁ କେବେ କୌଣସି କମିସନର ଅଧ୍ୟକ୍ଷ କିମ୍ବା ସଦସ୍ୟ ଏପରି କରିବା ନଜିର ନାହିଁ । ଖାଲି ସେତିକି ନୁହେଁ, ଅନନ୍ତ ନାୟକ କମିସନକୁ ହାତବାରିସୀ ଭାବେ ବ୍ୟବହାର କରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଖଣି ଓ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଅକାରଣରେ ହାଜର ହେବାକୁ ସମନ ଜାରି କରୁଛନ୍ତି । କମ୍ପାନି ଗୁଡ଼ିକୁ ଏଭଳି ହଇରାଣ ହରକତ କରି ବେଆଇନ ଭାବେ ଅର୍ଥ ଆଦାୟ କରିବା ପାଇଁ ସେ ଏଭଳି ଚାଲ ଖେଳୁଛନ୍ତି ।
ଖଗେଶ୍ଵର ପୂର୍ତ୍ତି ନାମକ ଜଣେ ବ୍ୟକ୍ତଙ୍କ ଜରିଆରେ ଖଣି ଉତ୍ତୋଳନ ଯନ୍ତ୍ରପାତି ଓ ସ୍କ୍ରିନିଂ ପ୍ଲାଣ୍ଟ ଲଗାଇବାକୁ କମ୍ପାନି ଗୁଡ଼ିକ ଉପରେ ଚାପ ପକାଉଛନ୍ତି । ଏଥିପାଇଁ ଗତ ମାର୍ଚ୍ଚ ମାସରେ ଅନନ୍ତ ନାୟକ ଖଗେଶ୍ବରଠାରୁ ୬ ଲକ୍ଷ ଟଙ୍କା ନେଇଥିବା ସେ କହିଛନ୍ତି । ଖଣି ଗୁଡ଼ିକରେ ସ୍କ୍ରିନିଂ ପ୍ଲାଣ୍ଟ ଲଗାଇବାର ସୁଯୋଗ ମିଳିଲେ ପ୍ରତ୍ୟେକ ଟନ ଲୁହାପଥର ପିଛା ଅନନ୍ତ ନାୟକଙ୍କୁ ସେ ୧୦ ଟଙ୍କା କରି ଦେବ ବୋଲି ଖଗେଶ୍ଵର ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଖଣି ଓ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ବ୍ଲାକ୍ମେଲ୍ କରି ଚାନ୍ଦା ଆଦାୟ କରିବା ଏବଂ ଅସାମାଜିକ ବ୍ୟକ୍ତିମାନଙ୍କୁ ନିଜ ଛତ୍ରଛାୟାରେ ରଖି ରିତିମତ ଦୁର୍ନୀତି କରିବାର ଏଭଳି ଅନେକ ଉଦାହରଣ ଅନନ୍ତ ନାୟକଙ୍କ ନାମରେ ରହିଥିବା ଅଭିଯୋଗ ହୋଇଛି ।
ସେହିପରି ସଂଗଠନର ଭୁବନେଶ୍ୱର ଦାସ ଅଭିଯୋଗ କରିଛନ୍ତି ଯେ, ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା ଆଦିବାସୀମାନଙ୍କ ନିରାପତ୍ତା କ୍ଷୁଣ୍ଣ ହେଲା ଭଳି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଜାତୀୟ ଜନଜାତି କମିସନର ଅଧ୍ୟକ୍ଷ ବା ସଦସ୍ୟ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ କରିଥାନ୍ତି । ମାତ୍ର ଅନନ୍ତ ନାୟକ ତାଙ୍କ ଦାୟିତ୍ବ ଭୁଲିଯାଇ କେବଳ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ନିଜ ଜିଲ୍ଲାର ଆଦିବାସୀମାନଙ୍କ ସ୍ବାର୍ଥର ବିପରୀତ କାର୍ଯ୍ୟ କରୁଛନ୍ତି ଏବଂ ଏହାର ପ୍ରତିବାଦ କଲେ ସେମାନଙ୍କୁ ଦୁବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଠିକାଦାରମାନଙ୍କୁ ଧମକଚମକ ଦେଇ ଏବଂ କମିସନ ପକ୍ଷରୁ ଅକାରଣରେ ବିଭିନ୍ନ ପ୍ରକାର ନୋଟିସ ଲଗାଇ ବେଆଇନ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ତେଣୁ ଗତ ପ୍ରାୟ ଦୁଇ ବର୍ଷ ହେଲା ନିଜ କ୍ଷମତାର ଅପବ୍ୟବହାର କରି ଏଭଳି ବେଆଇନ କାରବାରରେ ଲିପ୍ତ ଅନନ୍ତ ନାୟକ ରିତିମତ ବ୍ଲାକ୍ମେଲିଂ ଏବଂ ପୁଳାପୁଳା ଦୁର୍ନୀତିର ପର୍ଦ୍ଦାଫାସ ଲାଗି ସିବିଆଇ ତଦନ୍ତ କରିବାକୁ ଜାତୀୟ ଜନଜାତି କମିସନର ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅନନ୍ତ ନାୟକଙ୍କୁ ତୁରନ୍ତ ଜନଜାତି କମିସନର ସଦସ୍ୟ ପଦରୁ ମଧ୍ୟ ବହିଷ୍କାର କରିବା ଲାଗି ସେ ଦାବି କରିଛନ୍ତି । କାରଣ କମିସନର ସଦସ୍ୟ ପଦରେ ରହିଲେ ଅନନ୍ତ ନାୟକ ସିବିଆଇ ତଦନ୍ତକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ସିବିଆଇ ତଦନ୍ତ ଦ୍ୱାରା ହିଁ କେନ୍ଦୁଝର ଜିଲ୍ଲାର ଆଦିବାସୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର