ଭୁବନେଶ୍ବର: ହସ୍ପିଟାଲରେ 50 ମିନିଟ ଧରି ଅନ୍ଧାର । ରୋଗୀ ସେବା ବାଧାପ୍ରାପ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ପିଟାଲରେ । ଠିକା ସଂସ୍ଥାର ଦାୟିତ୍ଵହୀନତା ପାଇଁ ଅନ୍ଧାରରେ ରହିଲେ ରୋଗୀ। ଯାହା ଦ୍ଵାରା ଡାକ୍ତର ରୋଗୀ ଏବଂ ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ ହୋଇଥିଲା । ଦୀର୍ଘ ସମୟ ପରେ ମରାମତି ପରେ ପୁନଃ ବିଜୁଳି ସେବା ସ୍ବାଭାବିକ ହୋଇଥିଲା ।
ଫଳରେ କାଜୁଆଲଟି, ଡ୍ରେସିଂ ରୁମ, ଅବଜରଭେସନ ୱାର୍ଡ, ଇଞ୍ଜେକ୍ସନ ନିରାମୟ କେନ୍ଦ୍ର , ଶିଶୁ ବିଭାଗ, ଆଦି ରୁମ ଅନ୍ଧାରରେ ରହିଥିଲା। ଏମିତିକି ମୋବାଇଲ ଲାଇଟରେ ରୋଗୀ ସେବା କରାଯାଉଥିବା ନେଇ ସୂଚନା ମିଳିଛି। ଏଭଳି ସେବାକୁ ନେଇ ରୋଗୀମାନେ ହଟହଟା ହୋଇଛନ୍ତି।
ସୂଚନା ଅନୁଯାୟୀ, ଶିଶୁ ବିଭାଗ ନିକଟରେ ସ୍ବରେଜ କାମ ଚାଲୁଥିବାବେଳେ ଜେସିବି ଖୋଲିବା ସମୟରେ ମୁଖ୍ୟ ବିଜୁଳି ତାର ଛିଣ୍ଡି ପଡିଥିଲା। ଯାହା ଦ୍ଵାରା ୱାର୍ଡ ମଧ୍ୟକୁ ବିଜୁଳି ସଂଯୋଗ କଟିଯାଇଥିଲା । ଅନ୍ୟପଟେ ଡିଜି ରହିଥିବାବେଳେ ତାହାର ମଧ୍ୟ ସଂଯୋଗ କଟି ଯାଇଥିଲା। ଯାହା ଫଳରେ ବିକଳ୍ପ କିଛି ନଥିଲା। ଦୀର୍ଘ 1 ଘଣ୍ଟା ପରେ କାମ ସାରିଲା ପରେ ବିଜୁଳି ପୁନଃ ଆସିଥିଲା। ଏନେଇ କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ କହିଛନ୍ତି ଯେ କାଜୁଆଲଟି ୱାର୍ଡରୁ ଶିଶୁ ବିଭାଗ ମଧ୍ୟରେ କିଛି କାମ ଚାଲୁଥିଲା। ଯାହା ଫଳରେ ତାର ଛିଣ୍ଡି ବିଜୁଳି କଟି ଯାଇଥିଲା। ପରବର୍ତ୍ତୀ ସମୟରେ ବିଜୁଳି ଆସିବା ପରେ ରୋଗୀ ସେବା ପୂର୍ବ ପରି କାଲିଥିଲା ବୋଲି କହିଛନ୍ତି ଅଧୀକ୍ଷକ ।
ଇଟିଭି ଭାରତ, ଭୁବନେଶ୍ବର