ଭୁବନେଶ୍ବର: ରାଜଧାନୀ ଦେଇ ଚାଲୁଛି ବେଧଡକ ଗଞ୍ଜେଇ ଚାଲାଣ। ଭିନ୍ନଭିନ୍ନ ଉପାୟରେ ଚାଲୁଛି କାରବାର। ଗଞ୍ଜେଇ ସପ୍ଲାୟର ଆପଣାଇଛନ୍ତି ନୂଆନୂଆ ଟ୍ରିକ। ପୋଲିସକୁ ଚକମା ଦେବାକୁ ଅନଲାଇନ ଟ୍ୟାକ୍ସି ଓ ଏସକର୍ଟ ସର୍ଭିସରେ ଆଣୁଛନ୍ତି ଗଞ୍ଜେଇ। ଗୁରୁବାର ଦିନ ଏଭଳି ଭିନ୍ନ ଢ଼ଙ୍ଗରେ ଚାଲାଣ ବେଳେ ଦୁଇଟି ସ୍ଥାନରେ ଧରାପଡ଼ିଛନ୍ତି ଗଞ୍ଜେଇ ବେପାରୀ । ଅନଲାଇନ ଟ୍ୟାକ୍ସିରେ ଗଞ୍ଜେଇ ଚାଲାଣ ବେଳେ ଏସଟିଏଫ୍ ହାତରେ ଧରାପଡିଥିଲେ ୩ ଅଭିଯୁକ୍ତ । ନୟାପଲ୍ଲୀ ଥାନା ଅଞ୍ଚଳ ଦେଇ ସପ୍ଲାୟ ବେଳେ ଧରିଥିଲା ଏସଟିଏଫ୍ ଟିମ୍। ଗୋଟିଏ ଅନଲାଇନ ଟ୍ୟାକ୍ସି ସହ ଜବତ ହୋଇଛି ୪୦ କେଜି ୬୫୮ ଗ୍ରାମ ଗଞ୍ଜେଇ । ସେମାନେ ହେଲେ ତ୍ରିଲୋଚନ ମଙ୍ଗରାଜ ମହାପାତ୍ର, କେ. ରମେଶ ସେଠୀ, ସଚିନ ଦିଗଲ। ସେମାନଙ୍କ ଠାରୁ ୪ଟି ମୋବାଇଲ ଜବତ ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସେହିପରି ନନ୍ଦନକାନନ ଥାନା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ। ବାରଙ୍ଗ ଆଡୁ ଦ୍ରୁତ ଗତିରେ ୟାମାହା FZ ମୋଟର ସାଇକେଲ ପଛରେ ଏକ କାର ଆସୁଥିଲା, ଯାହା ଥିଲା ଗଞ୍ଜେଇ ବୋଝେଇ କାର। କାରଟିକୁ ଏସକର୍ଟ ଦେଇ ବାଇକଟି ଆସୁଥିବା ବେଳେ ପାଟ୍ରୋଲିଂ କରୁଥିବା ଗାଡି ହଠାତ ଅଟକାଇଥିଲା। ଆଉ ଚେକିଂ ବେଳେ ଜଣାପଡିଥିଲା କିଭଳି ଏସକର୍ଟରେ ଗଞ୍ଜେଇ ଚାଲାଣ କରୁଥିଲେ ଚାଲାଣକାରୀ ।
ଏହି ଘଟଣାରେ ଗୋଟିଏ ବାଇକ ସହ ଗୋଟିଏ ଏସଏକ୍ସ ଫୋର କାର ସହ ଗାଡିର ପଛ ସିଟ ଓ ଡିକିରେରେ ଥିବା ଚାରିଟି ଅଖା ବସ୍ତାରେ ସର୍ବମୋଟ ୮୯ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ କରିଛି କମିଶନରେଟ ପୋଲିସ । ଯାହାର ଆନୁମାନିକ ମୁଲ୍ୟ ୨୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସେମାନଙ୍କ ଠାରୁ ଗଞ୍ଜେଇ ସହ ୫୮୮୦ ଟଙ୍କା, ୭ ଗୋଟି ମୋବାଇଲ ଫୋନ ଜବତ କରାଯାଇଛି। ଏଥିସହ ଏହି ଘଟଣାରେ ଅକ୍ଷୟ କୁମାର ମାଝୀ, ସୁଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ଦାସ, ଚିତ୍ତ ରଞ୍ଜନ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ