ଭୁବନେଶ୍ବର: ମାର୍ଚ୍ଚ 2018ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଛି । ଯଦିଓ ରାଜସ୍ୱ ସଂଗ୍ରହ ଓ ଟିକସ ହାର ନେଇ ରିପୋର୍ଟ ସନ୍ତୋଷ ଜନକ ରହିଛି ତେବେ 836 ଜଣ ବ୍ୟକ୍ତିଗତ ଜମାଖାତାରେ 13509 କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରି ପଡି ରହିଥିଲା।
‘ଓଡିଶା ମିନେରଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ’ର ବ୍ୟକ୍ତିଗତ ଜମା ଖାତାରେ ମୋଟ 11538 କୋଟି ଟଙ୍କା ପଡି ରହିଥିଲା । ଆଦିବାସୀ ଜିଲ୍ଲାର ବିକାଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହା ଗଠନ କରାଯାଇଥିଲା । ସେହି ଅନୁସାରେ ଟଙ୍କା ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ଥିଲା । ସିଏଜି ଅର୍ଥ ବିଭାଗକୁ ପରାମର୍ଶ ଦେଇଛନ୍ତି, ବିଭାଗ ଏହାର ସମୀକ୍ଷା କରୁ । ଏକତ୍ରିତ ପାଣ୍ଠିକୁ ପଠାଯାଉ । ବିତ୍ତୀୟ ନିୟମକୁ ଦୋହରାନ୍ତୁ । ଯେଉଁ ଅଧିକାରୀ ପାଳନ କରି ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଛନ୍ତି ସିଏଜି।
ୟୁସି ଦେବାରେ ପଛରେ
2017-18 ବର୍ଷରେ 21780 କୋଟି ଟଙ୍କା ଅନୁଦାନ ଦେଇଥିଲେ ସରକାର। ହେଲେ ଏହାର 75 ପ୍ରତିଶତ ଅର୍ଥାତ 16, 391 କୋଟି ଟଙ୍କାର ପ୍ରମାଣ ପତ୍ର ଦେଇପାରିନଥିଲେ। 35ଟି ବିଭାଗର ମୋଟ 38, 427 କୋଟି ଟଙ୍କାର ୟୁସି 2018 ମାର୍ଚ୍ଚ ସୁଦ୍ଧା ବକେୟା ରହିଛି।
ଆକସ୍ମିକ ବିଲରେ ବକେୟା
ଆକସ୍ମିକ ବିଲ ପୈଠ କ୍ଷେତ୍ରରେ ସରକାର ନିୟମ ଉଲଂଘନ କରିଛନ୍ତି । 2017-18 ଆର୍ଥିକ ବର୍ଷରେ ସରକାର 16ଟି ବିଭାଗର 764 ଆକସ୍ମିକ ବିଲ ବାବଦକୁ 17.63 କୋଟି ଟଙ୍କା ଉଠାଇଥିଲେ। ଏଥିରୁ ମାତ୍ର 3 କୋଟି ଟଙ୍କାର ବିଲ ଉପସ୍ଥାପନ କରିଛନ୍ତି। ବାକି 12 ଟି ବିଭାଗର 14 କୋଟି ଟଙ୍କାର ବିଲ ଉପସ୍ଥାପନ କରାଯାଇ ନାହିଁ। ଯାହାକି ତୋଷରପାଟ ହୋଇଥିବା ସନ୍ଦେହ କରିଛନ୍ତି ସିଏଜି।
ଅନୁଦାନ ଫେରସ୍ତ
ଅନୁଦାନ ଅର୍ଥ ଖର୍ଚ୍ଚ କରିବାରେ ସରକାର ବିଫଳ। 2017-18 ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ 9ଟି ବିଭାଗର 8 ହଜାର 312 କୋଟି 17 ଲକ୍ଷ ଟଙ୍କା ଫେରସ୍ତ କରିଛନ୍ତି। 17ଟି ଅନୁଦାନରେ ଅର୍ଥ ଶତ ପ୍ରତିଶତ ଖର୍ଚ୍ଚ ହୋଇପାରି ନାହିଁ। ବିଭିନ୍ନ ଯୋଜନା ବାବଦକୁ ଦିଆଯାଇଥିବା ଅନୁଦାନ। ସେହିପରି 2015-16 ରେ 21ଟି ଯୋଜନାର 2731 କୋଟି ଟଙ୍କା, ଓ 2016-17ରେ 1788 କୋଟି ଟଙ୍କା ଅନୁଦାନ ଫେରସ୍ତ ହୋଇଛି।
ରାଜ୍ୟ ଆଳୁ ମିଶନ ଫେଲ
ଆଳୁ ମିଶନର ବିଫଳତାକୁ ନେଇ ସିଏଜି ପ୍ରଶ୍ନ କରିଛନ୍ତି। 2015-16ରେ ଏହି ମିଶନ ଆରମ୍ଭ ହୋଇଥିଲା । 50 କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା। 2017 -18 ସୁଧା ଆଳୁ ଉତ୍ପାଦନ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଲକ୍ଷ୍ୟ ପୂରଣରେ ବିଭାଗ ଫେଲ ମାରି 48.10% ଅର୍ଥ ଖର୍ଚ୍ଚ କରିଛି। 55ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା ଲକ୍ଷ୍ୟ ଥିବା ବେଳେ ମାତ୍ର 23ଟି ପ୍ରତିଷ୍ଠା ହୋଇଛି। ରାଜ୍ୟ ସରକାର ମଧ୍ୟ ଏହି ବିଫଳତାକୁ ଗ୍ରହଣ କରିଛନ୍ତି।
ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ କେନ୍ଦ୍ରୀୟ ଅନୁଦାନ ନମିଳିବାରୁ ରାଜ୍ୟ ନିଜ ଭାଗ ଅର୍ଥ ଖର୍ଚ୍ଚ କରିପାରି ନାହିଁ। 145 କୋଟି 51 ଲକ୍ଷ ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ଥିବା ବେଳେ ମାତ୍ର 91 କୋଟି 66 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ