ଭୁବନେଶ୍ବର: ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ତିର୍ତ୍ତୋଲରେ 9 ଜଣ ଓ ବାଲେଶ୍ଵର ସଦରରେ 8 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବାଲେଶ୍ଵରରେ 3 ପ୍ରମୁଖ ଦଳକୁ ବାଦ ଦେଲେ ବାକି 5 ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ସେହିପରି ତିର୍ତ୍ତୋଲରେ ସିପିଆଇ ପ୍ରାର୍ଥୀ ଦେଇଛି। ଏଠାରେ ବି 5 ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି।
ବାଲେଶ୍ବରରେ 7 ଜଣ ପୁରୁଷ ଓ ଜଣେ ମହିଳା ପ୍ରାର୍ଥୀଙ୍କୁ ମିଶାଇ ମୋଟ 8 ଜଣ ରିଟର୍ଣ୍ଣିଙ୍କ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ଜଣେ, କଂଗ୍ରେସର ଜଣେ, ବିଜେଡିର ଜଣେ ଏବଂ 5 ଜଣ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିପରି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନିମନ୍ତେ 9 ଜଣ ନାମାଙ୍କନ ଦାଖଲ କରିଛନ୍ତି । ବିଜେପିର ରାଜ କିଶୋର ବେହେରା, କଂଗ୍ରେସର ହିଂମାଶୁ ଭୂଷଣ ମଲ୍ଲିକ, ବିଜେଡିର ବିଜୟ ଶଙ୍କର ଦାସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିଜୟ କୁମରା ଭୋଇ, ସ୍ବାଧୀନ ପ୍ରାର୍ଥୀ (ଅର୍ଜୁନ ଚରଣ ବେହେରା, ରମେଶ ଚନ୍ଦ୍ର ମଲ୍ଲିକ, ରବୀନ୍ଦ୍ର ନାଥ ସେଠୀ, ଗୋଲାପ ମଞ୍ଜରୀ ଭୋଇ ଏବଂ ସଚିତ୍ର ମଲ୍ଲିକ) ନାମାଙ୍କନ ଭରିଛନ୍ତି ।
ତେବେ ଆଜି ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହର ତାରିଖ ରହିଛି । ଏହାପରେ ଚୁଡାନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ନଭେମ୍ବର ୩ରେ ଉଭୟ ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ । ଏହାପରେ ନଭେମ୍ବର ୧୦ରେ ଭୋଟଗଣତି ହେବ ।
ଚଳିତବର୍ଷ ମହାମାରୀ କୋରୋନା ପାଇଁ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ବେଳେ ସ୍ବତନ୍ତ୍ର ଟିମ ଗଠନ କରାଯିବ। ସେହି ଟିମ ଏହି କ୍ୟାଟାଗୋରୀରେ ଥିବା ଲୋକଙ୍କ ଘରକୁ ଯାଇ ପୋଷ୍ଟାଲ ବ୍ୟାଲେଟରେ ଭୋଟ ଗ୍ରହଣ କରିବେ । ତାଙ୍କ ସହ ପୋଲିସ ଟିମ ମଧ୍ୟ ରହିବ। ସମ୍ପୂର୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ସମ୍ପୂର୍ଣ୍ଣ ଗୋପନୀୟତା ରଖାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ