ଭୁବନେଶ୍ବର: ଆସନ୍ତା 2030 ସୁଦ୍ଧାରେ ରାଜ୍ୟରୁ ମୁକ୍ତ ହେବ ମ୍ୟାଲେରିଆ । ଫୋକସରେ ରହିଛି ଦୁର୍ଗମ ଅଞ୍ଚଳ। ରାଜ୍ୟରେ 2030 ସୁଦ୍ଧା ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟ ରଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସଚେତନ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ସ୍ବାସ୍ଥ୍ୟ କର୍ମୀ ।
ବର୍ଷ 2016 ମସିହାରେ ରାଜ୍ୟରେ ଅହେତୁକ ବୃଦ୍ଧି ପାଇଥିଲା ମ୍ୟାଲେରିଆ। ଯାହା 2016ରେ 95 ପ୍ରତିଶତ ରହିଥିବାବେଳେ 2021 ମସିହାରେ ରାଜ୍ୟରେ 25 ହଜାରରୁ 30 ହଜାର ଭିତରେ ରହିଥିଲା । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଜୋରଦାର କରୁଛନ୍ତି ପ୍ରସ୍ତୁତି । 2019 ଏବଂ 2020 ମସିହାରେ 6 ହଜାର 379 ମାମଲା ଚିହ୍ନଟ ହୋଇଥିବାବେଳେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। 2021 ମସିହାରେ 0 ରୁ 1ବର୍ଷ ପିଲାଙ୍କର ମ୍ୟାଲେରିଆ 1 ପ୍ରତିଶତ ଚିହ୍ନଟ ହୋଇଥିବା ବେଳେ 1 ରୁ 5 ବର୍ଷ ମଧ୍ୟରେ 14 ପ୍ରତିଶତ, 5 ରୁ 9 ବର୍ଷ ମଧ୍ୟରେ 15 ପ୍ରତିଶତ, 9 ରୁ 15 ବର୍ଷ ମଧ୍ୟରେ 16 ପ୍ରତିଶତ, ଓ 15ରୁ ଊର୍ଦ୍ଧ୍ବ ଲୋକଙ୍କୁ 54 ପ୍ରତିଶତ, ମ୍ୟାଲେରିଆ ଚିହ୍ନଟ ହୋଇଛନ୍ତି । ବିଶେଷ ଭାବରେ 2021 ମସିହାରେ ମାଲକାନଗିରିରେ 21 ପ୍ରତିଶତ, କଳାହାଣ୍ଡିରେ 20 ପ୍ରତିଶତ, କନ୍ଧମାଳରେ 17 ପ୍ରତିଶତ, ରାୟଗଡାରେ 11 ପ୍ରତିଶତ କୋରାପୁଟରେ 9 ପ୍ରତିଶତ , ନବରଙ୍ଗପୁର, ସୁନ୍ଦରଗଡ ବୌଦ୍ଧରେ 3 ପ୍ରତିଶତ, ନୟାଗଡ ଓ ଗଞ୍ଜାମରେ 2 ପ୍ରତିଶତ ମ୍ୟାଲେରିଆ ଚିହ୍ନଟ ହୋଇଥିଲା।
ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି। ରାଜ୍ୟରେ ଦୁର୍ଗମ ଅଞ୍ଚଳରେ 24 ଟି ଜିଲ୍ଲା ରହିଛି। ମ୍ୟାଲେରିଆ ଲକ୍ଷଣ ଥିବା ଲୋକ ଆକ୍ରାନ୍ତ ଥିବା ପିଲାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛି। ମ୍ୟାଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ କର୍ମୀ ଙ୍କୁ ତାଲିମ ଦିଆଯାଉଛି। ରାଜ୍ୟରେ 2014ରେ ମ୍ୟାଲେରିଆରେ 89 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2015 ରେ 80, 2016 ରେ 77, 2017 ରେ 24, 2018 ରେ 3, 2019 ରେ 9, 2020ରେ 9 ଓ 2021 ମସିହାରେ 13 ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ 48 ହଜାର ରୁ ଅଧିକ ଆଶା କର୍ମୀଙ୍କ ସହ ଟେକ୍ନିକାଲ ଟାକ୍ସ ଫୋର୍ସ ମଧ୍ୟ ମ୍ୟାଲେରିଆ ନିରାକରଣ ପାଇଁ କାମ କରୁଛି ।
2027 ସୁଦ୍ଧା ସାରା ରାଜ୍ୟରେ ମ୍ୟାଲେରିଆ ଠାରୁ ମୁକ୍ତି ପାଇବେ ରାଜ୍ୟବାସୀ। ମାଲେରିଆ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ବହୁ ଆଗେଇଛି । ମ୍ୟାଲେରିଆର ଔଷଧ କମିଯାଇଛି। ପୂର୍ବ ବର୍ଷ ଅପେକ୍ଷାରେ ଅନେକ ମାତ୍ରାରେ ଔଷଧ କମାଇଯାଇଛି ବୋଲି କହିଛନ୍ତି ଔଷଧ ନିଗମର ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ। ଏପଟେ ଏନଏଚଏମର ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ କହିଛନ୍ତି ଯେ 5 ବର୍ଷରେ ଓଡିଶା ବହୁତ ପ୍ରଗତି କରିଛି। ଏହା ସ୍ବାସ୍ଥ୍ୟ ବିଭାଗର ସମସ୍ତ ସ୍ବାସ୍ଥ୍ୟ କର୍ମୀ ମାନଙ୍କର ମିଳିତ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଛି । ବିଶେଷ କରି ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଛାତ୍ରଛାତ୍ରୀଙ୍କ ଭୂମିକା ଉଲ୍ଲେଖନୀୟ ଅଟେ।
ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶା ଆଗରେ ରହିଛି। ଗୋଟିଏ ଲକ୍ଷ୍ୟ ମ୍ୟାଲେରିଆ ଦୂରୀକରଣ। ସଂକଳ୍ପ ନେବାକୁ ହେବ ଯେ 2030 ସୁଦ୍ଧା ଯେପରି ଭାବରେ ମ୍ୟାଲେରିଆ ଦୂରୀକରଣ ହୋଇପାରିବ। ସମସ୍ତେ ମିଳିତ ଭାବରେ କାମ କଲେ 2027 ରୁ 30 ସୁଦ୍ଧା ଦୂରୀକରଣ କରିପାରିବା ମ୍ୟାଲେରିଆ । ଏହା ମଧ୍ୟରେ ମ୍ୟାଲେରିଆ ଦୂରୀକରଣ ସଚେତନତା କାର୍ଯ୍ୟକ୍ରମକୁ ନେଇ 3 ଜିଲ୍ଲା ଏବଂ 3ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୁରସ୍କୃତ କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ବଲାଙ୍ଗୀର ଓ କେନ୍ଦୁଝର।
ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ 2016 ମସିହାରେ ଯାହା ମ୍ୟାଲେରିଆ ରୋଗୀ ପ୍ରାୟ ହାରାହାରି 4 ଲକ୍ଷ ରୋଗୀ ଥିଲେ ଓଡିଶାରେ। ଗତବର୍ଷ ମାତ୍ର 25 ହଜାର ରୋଗୀ ଚିହ୍ନଟ ହୋଇଛନ୍ତି। ଯେଉଁଠାରେ ମ୍ୟାଲେରିଆ ଚିହ୍ନଟ ହେଉଛନ୍ତି ସେଠାରେ ବର୍ଷକୁ 3 ଥର ଟେଷ୍ଟ ପାଇଁ କ୍ୟାମ୍ପ କରାଯାଉଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ଗାଁରେ ନୂଆ ମଶାରୀ ବଣ୍ଟା ଯାଉଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ