ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ୫ ଜଣିଆ ପ୍ରତିନିଧି ଦଳ। ଆଜି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆମେ ନିର୍ବାଚନ ଅଧିକାରୀଙ୍କୁ ଭେଟିଲୁ । କିଛି ସରକାରୀ କର୍ମକର୍ତ୍ତା ମାନେ ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ ସାଜିଛନ୍ତି ବୋଲି ଅଭିଯୋଗ କରି ଏହା କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ । ସୁରଥ ଅଭିଯୋଗ କରିଛନ୍ତି କିଛି ସରକାରୀ ଅଧିକାରୀ ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ ସାଜିଛନ୍ତି । ଅଧିକାରୀ ମାନେ ଶାସକ ଦଳ ସପକ୍ଷରେ ଜନସାଧାରଣ ମାନଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଶାସକ ଦଳ ନିର୍ବାଚନ ଜିତିବା ପାଇଁ ସରକାରୀ କର୍ମଚାରୀଙ୍କ ସାହାର୍ଯ୍ୟ ନେଉଛନ୍ତି ଏହା କେତେ ଦୂର ଠିକ । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ମଧ୍ୟ ବହୁ ବାର ଆମେ ନିର୍ବାଚନ କମିଶନରଙ୍କୁ ଭେଟିଥିଲୁ । କିନ୍ତୁ କିଛି ଲାଭ ହେଲା ନାହିଁ ।
ସୁରଥ ସଂଗୀନ ଅଭିଯୋଗ କରି କହିଛନ୍ତି ଆଶା କର୍ମୀ, ଅଙ୍ଗନୱାଡିକର୍ମୀ , ସିବିକେ ,ଜିଆରଏସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଭୋଟରମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରିବେ ବୋଲି ଚିଠି ହୋଇଛି । ସ୍ବଚ୍ଛ ,ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ପାଇଁ ନିର୍ବାଚନ ଆୟୋଗ ବାରମ୍ବାର କହୁଛନ୍ତି । ସେଠି ଯେଉଁ ସରକାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହ ଜନକ ତାଙ୍କରି ହାତରେ ହିଁ ଏହି ସଚେତନ ଦାୟିତ୍ବ ନ୍ୟସ୍ତ କରାଯାଉଛି । ଏକଥା କେତେ ଦୂର ନିରପେକ୍ଷ ବୋଲି ପ୍ରଶ୍ନ କରିଛି ବିଜେପି ? ଏହିପରି ଦୁର୍ନୀତିଗ୍ରସ୍ତ ପ୍ରଥାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ଭୋଟରଙ୍କ ସଚେତନତା ନାମରେ ଏହିପରି ସରକାରୀ କାର୍ଯ୍ୟକର୍ତ୍ତାଙ୍କୁ ଜଡିତ ନ କରନ୍ତୁ ବୋଲି ବିଜେପି ଦାବି କରିଥିବା ସୁରଥ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ