ଭୁବନେଶ୍ବର: ରାଜ୍ୟ ସୀମାରେ ଥିବା ପ୍ରାୟ 100ଟି ଗାଁକୁ ନେଇ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ସୀମା ବିବାଦ ଚାଲିଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ସରକାରୀ ଅଧିକାରୀଙ୍କୁ ନିୟମିତ ଭାବରେ ଏହି ଅଞ୍ଚଳ ପରିଦର୍ଶନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି କୋରାପୁଟର କୋଟିଆରେ ଲୋକେ ଅଭିଯୋଗ ପାଇଁ ଆନ୍ଧ୍ର ଥାନାକୁ ଯାଉଥିବା ବେଳେ ସେଠାରେ ଏକ ଥାନା ପ୍ରତିଷ୍ଠା କରାଯିବାକୁ ଗୃହ ବିଭାଗକୁ ଚିଠି ଲେଖାଯିବ ବୋଲି ସେ କହିଛନ୍ତି । ଏହି ସମସ୍ୟାକୁ ସ୍ଥାନୀୟ କ୍ଷେତ୍ରରେ ସମାଧାନ କରାଯିବା ନେଇ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ।
ରାଜ୍ୟ ସୀମାର 5 କିଲୋମିଟର ପରିଧି ମଧ୍ୟରେ ଥିବା ସ୍କୁଲ ଓ କଲେଜ ଗୁଡିକରେ ଛାତ୍ରଛାତ୍ରୀ କମ ଥିଲେ ମଧ୍ୟ ସେଗୁଡିକୁ ବନ୍ଦ କରାଯିବ ନାହିଁ । ସେହି ଶିକ୍ଷାନୁଷ୍ଠାନ ମାନଙ୍କରେ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏପରି କି ସରକାରୀ ଅଫିସ ଦୂର ହେଲେ ମଧ୍ୟ ବି ବନ୍ଦ ହେବ ନାହିଁ ।
ଏହା ସହିତ ସୀମାନ୍ତ ଥାନା ଗୁଡିକୁ ଆହୁରି କ୍ଷମତାସମ୍ପନ୍ନ କରାଯିବ । ଗଜପତିର 16ଟି ଓ ଗଞ୍ଜାମର 13 ଗାଁର ଲୋକେ ଆନ୍ଧ୍ର ଦେଇ ଓଡ଼ିଶାକୁ ଆସିଥାନ୍ତି । ସେହିପରି ବାଲି ଗୋଡି ଓ ମୋରମ ଉଠାଣ ବିବାଦ ନେଇ ଆସନ୍ତାକାଲି ରାଜସ୍ବ ବିଭାଗ ପକ୍ଷରୁ ବୈଠକ କରାଯିବ । ସୀମା ସମସ୍ୟା ସମାଧାନ ପାଇଁ ଏକ କମିଟି ଗଢାଯାଇଥିବା ବେଳେ ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷ ରହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ