ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଦ୍ୟାବଧି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ଥିବା 24954127 ପାଠ୍ୟ ପୁସ୍ତକ ମଧ୍ୟରୁ 24214712 ପାଠ୍ୟ ପୁସ୍ତକ ବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ବିତରଣ କରାଯାଇଛି, ଯାହାକି 99 ପ୍ରତିଶତ ରହିଥିବା ସୂଚନା ।
ଆସନ୍ତା ଏପ୍ରିଲ 3 ତାରିଖରେ ହେବାକୁ ଥିବା ପ୍ରବେଶ ଉତ୍ସବ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ବିତରଣ କରାଯିବାକୁ ସ୍ଥିର କରାଯାଇଛି । ସେହିପରି ନବମ ଓ ଦଶମ ଶ୍ରେଣୀସ୍ତରରେ ଆବଶ୍ୟକ ପଡ଼ୁଥିବା ଆନୁମାନିକ 8 ଲକ୍ଷ ପାଠ୍ୟ ପୁସ୍ତକ ମୁଦ୍ରଣ କରାଯାଇ ମାର୍ଚ୍ଚ 20 ତାରିଖ ସୁଦ୍ଧା ସମସ୍ତ ବିତରଣକାରୀଙ୍କୁ ଅବଗତ କରିବା ପାଇଁ ସ୍ଥିର କରାଯାଇଛି । ଏଥିସହିତ ମାର୍ଚ୍ଚ 24 ତାରିଖରୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବିତରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ 2.5 ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀମାନଙ୍କ ପାଇଁ ମାଗଣା ପାଠ୍ୟ ପୁସ୍ତକ ବିତରଣ ଏହି ସମୟ ମଧ୍ୟରେ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷଠାରୁ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ନିର୍ଦ୍ଦେଶାଳୟମାନେ ବର୍ଷ ତମାମ କାର୍ଯ୍ୟକ୍ରମର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ