ଭୁବନେଶ୍ବର: ଭାଗ୍ୟର ଖେଳ । କୋରୋନା ଯୋଗୁଁ ବଦଳିଯାଇଛି ପରିସ୍ଥିତି । ଦିନ ଥିଲା ବଲିଉଡ ଫିଲ୍ମରେ ଦେଖାଉଥିଲେ ଫାଇଟିଂ ଯାଦୁ । ମିଳୁଥିଲା ଫିଲ୍ମ ପରେ ଫିଲ୍ମ । ଛୋଟ, ଛୋଟ କ୍ୟାରେକ୍ଟରରେ ଛାଡିଥିଲେ ଅଭିନୟର ଛାପ । ୱେବ ସିରିଜ ଓ ସିରିଏଲରେ ମଧ୍ୟ ମିଳିଥିଲା କାମ । ହେଲେ ସବୁ ଆଶା ଭାଙ୍ଗିଦେଲା କୋରୋନା ।
ଲକଡାଉନରେ ବଲିଉଡ ବନ୍ଦ । ଆଉ ପ୍ରଭାବିତ ହେଲା ପେସା । କାମ ନମିଳିବାରୁ ମାୟା ନଗରୀରରୁ ଘରକୁ ଫେରିଲେ ଓଡିଆ ପୁଅ କାର୍ତ୍ତିକ ସାହୁ । ଧିରେ ଧିରେ ସରିଲା ସମସ୍ତ ସଞ୍ଚିତ ଅର୍ଥ । ଘର ଚଳାଇବା ବୋଝ ବନାଇଦେଲା ପରିବା ବିକାଳି । ଦିନେ ବଲିଉଡ ସୁପରଷ୍ଟାରଙ୍କ ସହ କାମ କରିଥିବା କାର୍ତ୍ତିକ ଆଜି ରାଜଧାନୀ ପଳାଶୁଣି ହାଟରେ ବିକୁଛନ୍ତି ପିଆଜ ।
କେନ୍ଦ୍ରାପଡାର ଗଦରପୁରରେ କାର୍ତ୍ତିକଙ୍କ ଘର । ଚାଷୀ ପରିବାରରୁ ଜନ୍ମ । ଘର ପରିସ୍ଥିତି ଠିକ୍ ନଥିବାରୁ ମୁମ୍ବାଇରେ ଅଙ୍ଗରକ୍ଷକ ଭାବେ ଆରମ୍ଭ କରିଥିଲେ କ୍ୟାରିୟର । 17 ବର୍ଷର ସଙ୍ଘର୍ଷ ପରେ ମିଳିଥିଲା ସଫଳତା । ବିଗ ବଜେଟ୍ ଫିଲ୍ମ ଓ ସିରିଜରେ ସାଇଡ୍ କଳାକାର ଭାବେ ପାଇଥିଲେ ସୁଯୋଗ । ମାତ୍ର ସବୁ ଚୂରମାର କରିଦେଲା କୋରୋନା । ଏବେ ପିଆଜ ବିକି ପ୍ରତିପୋଷଣ କରୁଛନ୍ତି ପରିବାର । ଚଳିବା ପାଇଁ କୌଣସି କାମ ଛୋଟ ନୁହେଁ, ଏପରି ପ୍ରେରଣା ଦେଇଛନ୍ତି କାର୍ତ୍ତିକ ।
ପରିସ୍ଥିତି ଖରାପ ଥିଲେ ବି ଆଶା ହରାଇ ନାହାନ୍ତି ସେ । ଓଡିଆ ଫିଲ୍ମରେ ସୁଯୋଗ ମିଳିଲେ କାମ କରିବାକୁ ଅଛନ୍ତି ଆଗ୍ରହୀ । କଳାକାର ଥିଲେ, ତେଣୁ ଭୁଲିପାରିନାହାନ୍ତି ଅଭିନୟ ପ୍ରତି ଥିବା ପ୍ରେମ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ