ଭୁବନେଶ୍ବର: କୋଭିଡର ନୂଆ ଭାରଆଣ୍ଟ ଆସିବା ପରେ ପୁଣି କଡ଼ା କଟକଣା ଜାରି କରିଛି ପ୍ରଶାସନ । ଓମିକ୍ରନ ଭୟ ନେଇ ରାଜଧାନୀ ଭୁବନେଶ୍ବରରେ କୋଭିଡ କଟକଣା ଜାରି ହୋଇଛି । ଏହାସତ୍ତ୍ବେ କିଛି ବ୍ୟକ୍ତିବିଶେଷ ଏହି କଟକଣାକୁ ଅବମାନନା କରୁଥିବା ଦେଖା ଦେଇଛି । ଏହାକୁ ନେଇ ଗୁରୁବାର ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମ୍ସି ପକ୍ଷରୁ ଚଢ଼ାଉ ଜାରି ରହିଥିଲା । ଏହିକ୍ରମରେ ରାଜଧାନୀର ବିଭିନ୍ନ ଦୋକାନ ସିଲ୍ କଲା ବିଏମ୍ସି ।
ଗୁରୁବାର ସନ୍ଧ୍ୟାରେ BMC ପକ୍ଷରୁ ଖାଓଗଲି, ରାମ ମନ୍ଦିର ଟିଫିନ୍, ଏସ୍ପ୍ଲାନେଡ୍ (Esplanade) ମଲ୍ରେ ବିଏମ୍ସି ଚଢ଼ାଉ କରିଛି । ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଖାଅ ଗଲି ସମେତ ସମସ୍ତ ଜନ ଗହଳି ସ୍ଥାନ । ସେହିଭଳି ଭୁବନେଶ୍ୱର ଶିରିପୁର ଛକ ଓ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଥିବା ଉଠା ଖାଇବା ଦେକାନ ଗୁଡ଼ିକ ସିଲ କଲା ବିଏମସି । ଏହି ଦୋକାନ ଗୁଡ଼ିକ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସିଲ୍ ରହିବା ନେଇ ସୂଚନା ମିଳିଛି ।
କୋଭିଡ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ ପରେ ଏହି ପଦକ୍ଷେପ ନେଲା ବିଏମ୍ସି । ଏହି ସମୟରେ ଜନ ଗହଳି ପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ଆଗକୁ ନୂଆ ବର୍ଷ ଆସୁଥିବା ବେଳେ ଓମିକ୍ରନ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଲୋକ କୋଭିଡ ନିୟମ ଭାଙ୍ଗୁଥିବାରୁ । ବିଏମ୍ସି ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯେଉଁଠି ଦୋକାନୀ ବା ଗ୍ରାହକ କୋଭିଡ ନିୟମ ଭାଙ୍ଗିବେ ସେଠି ତଣ୍ଡ ଗଣିବେ ବ୍ୟବସାୟୀ ବୋଲି କହିଛନ୍ତି ବିଏମ୍ସି କମିଶନର
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ