ଭୁବନେଶ୍ବର: କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଭୋକ ଉପାସରେ ଦିନ କାଟୁଛନ୍ତି ବହୁ ଅସହାୟ ବ୍ୟକ୍ତି । ତେବେ ସେହି ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଉଛି ବିଏମସି । ଏହି ଲକଡାଉନ କାରଣରୁ ବିଦେଶରୁ ବା ବାହାର ରାଜ୍ୟରୁ ଫସି ରହିଛନ୍ତି ବହୁତ ବ୍ୟକ୍ତି । ଦୋକାନ ବଜାର ବନ୍ଦ ଥିବାରୁ ଖାଇବାକୁ ନ ପାଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ସେମାନଙ୍କୁ ସହାୟତାର ହାତ ବଢାଇଛି ବିଏମସିଙ୍କ ସମେତ କିଛି ସ୍ବେଚ୍ଛାସେବୀ ସଂଗଠନ ।
ରାଜଧାନୀରେ ଏକ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରି ପ୍ରତିଦିନ ପ୍ରାୟ 3 ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛି BMC । ବି ଏମସି ସହିତ ଅନେକ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏହି ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରୁଛି । ବରମୁଣ୍ଡା ବସ ଷ୍ଟାଣ୍ଡ, ମାଷ୍ଟର କ୍ୟାଣ୍ଟିନ, ପଳାଶୁଣି, ରସୁଲଗାଡ ଆଦି ଅଞ୍ଚଳରେ ସକାଳ, ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ବିଏମସି ତରଫରୁ ଦିଆ ଯାଉଛି ।
ଯେହେତୁ ବାହାର ସଂସ୍ଥା ମଧ୍ୟ ରନ୍ଧା ଖାଦ୍ୟ ଯୋଗାଉଛନ୍ତି, ସେଥିପାଇଁ ବିଏମସିର ଏକ ସ୍ବତନ୍ତ୍ର ଟିମ ଖାଦ୍ୟର ମାନ ଯାଞ୍ଚ କରିବା ସହିତ ରୋଷେଇ ବେଳେ ପରିଷ୍କାର ପରିଛନ୍ନତାକୁ ଅଧିକ ଗୁରୁତ୍ବ ଦିଆ ଯାଉଛି । ଏଭଳି ଭାବରେ ରାଜାଧନୀରେ ଯେଉଁ ସ୍ଥାନରେ ବେସାହାରା ରହିଛନ୍ତି ସେମାନଙ୍କୁ ଅଗାମିଦିନରେ ଖାଦ୍ୟ ବଣ୍ଟନ କରାଯିବ ବୋଲି ବିଏମସି ତରଫରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ