ଭୁବନେଶ୍ବର : ରାଜଧାନୀରେ ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ବିଏମସି ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ। ଘର ଘର ବୁଲି ଲୋକଙ୍କ ତଥ୍ୟ ସଂଗ୍ରହ ସହିତ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ଓ ତାହାର ଆଶୁ ସମାଧାନ ଉପରେ ଗୁରୁତ୍ୱ ଦେଉଛି। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶ କ୍ରମେ ବିଏମସିର ସମସ୍ତ 67ଟି ୱାର୍ଡରେ ଆରମ୍ଭ ହୋଇଛି ଏହି ଅଭିଯାନ।
ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ ଗୋଟିଏ ଗୋଟିଏ ୟୁନିଟ ଭାବେ ଗଣତି କରି ଏହି ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। ଏହି ଅଭିଯାନରେ ବସ୍ତି ଅଞ୍ଚଳକୁ ଫୋକସରେ ରଖାଯାଇଛି। ଭୁବନେଶ୍ୱରରେ ମୋଟ 377 ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ 436 ବସ୍ତି ଚିହ୍ନଟ ହୋଇଛି। ଏହି କାର୍ଯ୍ୟରେ 450 କର୍ମଚାରୀ ନିୟୋଜିତ ରହି ତଥ୍ୟ ସଂଗ୍ରହ କରୁଛନ୍ତି। ପ୍ରତ୍ୟେକ ଟିମରେ ଜଣେ ଅଙ୍ଗନବାଡି କର୍ମୀ, ଜଣେ ଅଶକର୍ମୀ ଓ ଜଣେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି।
ପ୍ରଥମ ପର୍ଯ୍ୟାୟରେ 436 ବସ୍ତିରେ 2ଲକ୍ଷ 81ହଜାର 785ଟି ପରିବାରର ତଥ୍ୟ ସଂଗ୍ରହ ହୋଇସାରିଛି। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ ସଂଗ୍ରହ ଜାରି ରହିଛି। ତଥ୍ୟ ସଂଗ୍ରହ ସମୟରେ ପରିବାରର ସଦସ୍ୟ ସଂଖ୍ୟା, ବୃତ୍ତି, ଟେଲିଫୋନ ନମ୍ବର, 50 ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା, ସଦସ୍ୟଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କିଛି ଲକ୍ଷଣ ବା ସ୍ବାସ୍ଥ୍ୟଗତ ସମସ୍ୟା ଆଦି ତଥ୍ୟ ସଂଗ୍ରହ କରାଯାଉଛି। ତଥ୍ୟ ସଂଗ୍ରହ ପରେ ଟେଲିଫୋନ ଯୋଗେ ନିୟମିତ ବ୍ୟବଧାନରେ ଯୋଗାଯୋଗ କରାଯାଇ ସମ୍ପର୍କ ସ୍ଥାପନ କରି ଅପଡେଟ ତଥ୍ୟ ସଂଗ୍ରହ କରାଯାଉଛି। ଏଭଳି ଅଭିଯାନ ମାଧ୍ୟମରେ ସ୍ଥାନୀୟ ସଂକ୍ରମଣକୁ ରୋକିବା ସମ୍ଭବ ହେବ ବୋଲି ବିଏମସି ଡେପୁଟି କମିଶନର ତଥା କୋଭିଡ 19 ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ