ଭୁବନେଶ୍ବର: ବିଏମସିର ପ୍ରଥମ କାଉନସିଲ ବୈଠକ ଶେଷ ହୋଇଛି । ଦୀର୍ଘ ଅଢେଇ ବର୍ଷ ପରେ ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ନବନିର୍ବାଚିତ ୬୭ କର୍ପୋରେଟର ଓ ୩ ବିଧାୟକ ଉପସ୍ଥିତ ରହିଥିଲେ । ବୈଠକରେ ବିଶେଷ କରି ଡ୍ରେନେଜ ଉପରେ ଥିବା ଜରଦଖଲ, ଜଳବନ୍ଦୀ ସମସ୍ୟା ସହ ଭତ୍ତାର ଅନିୟମିତତା ସମ୍ପର୍କରେ ଆଲୋଚନା ହୋଇଛି । ରାଜଧାନୀ ବାସିନ୍ଦାଙ୍କ ବିକାଶ ଓ ସହରର ସମସ୍ୟା ତାର ସମାଧାନ ପାଇଁ ଏହି ବୈଠକ ଉପରେ ଲୋକଙ୍କର ଭରସା ରହିଥିବାରୁ ସକାରାତ୍ମକ ବା ଭଲ ବୈଠକ ହୋଇଥିବା ମେୟର କହିଥିଲେ ।
ତେବେ ଡ୍ରେନେଜ, ଜଳବନ୍ଦୀ ସମସ୍ୟା, ହିତାଧିକାରୀଙ୍କ ଭତ୍ତା ଅନିୟମିତତା, ସହରର ପରିମଳ ବ୍ୟବସ୍ଥା, ବାଓ ମାଇନିଙ୍ଗ ପ୍ରକଳ୍ପ, ଡାଟା ଏଣ୍ଟ୍ରି ପୁନଃ ଥଇଥାନ, ଡେଙ୍ଗୁ ପରି ଅନେକ ସମସ୍ୟା ରହିଛି। କିନ୍ତୁ ପ୍ରଥମ ବୈଠକରେ ଡ୍ରେନେଜ ଉପରେ ଥିବା ଜରଦଖଲ, ଜଳବନ୍ଦୀ ସମସ୍ୟା ସହ ଭତ୍ତାର ଅନିୟମିତତା ବିଷୟରେ ଆଲୋଚନା ହୋଇଛି । ବିରୋଧୀ ବା ବିଜେପି କର୍ପୋରେଟର ଡେଙ୍ଗୁ ଓ ଡ୍ରେନେଜ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ମୌସୁମୀ ଆସୁଥିବା କେବଳ ଡ୍ରେନେଜ ଉପରେ ଆଲୋଚନା ହୋଇଥିଲା । ଏଣୁ ମୌସୁମୀ ଆସିବା ପୂର୍ବରୁ ଏହାର ମୁକାବିଲା ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ ଚାଲିଥିବା ବେଳେ ଡ୍ରେନେଜ ଉପରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଉଥିବା କହିଥିଲେ ।
ସେହିପରି ଡେଙ୍ଗୁର ସଚେତନତା ଓ ନିରାକରଣ ଦିଗରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ସହରର ଦୁଇଟି ୱାର୍ଡରେ ଡେଙ୍ଗୁ ବ୍ୟାପିଛି। ତେଣୁ ଏନେଇ ଟେଷ୍ଟିଙ୍ଗ, ଡୋର ଟୁ ଡୋର କ୍ୟାପନିଙ୍ଗ ସହ ପରିବେଶ ସଫା ରଖିବାକୁ କହିଥିଲେ । ସେହିପରି ଭତ୍ତାର ଅନିୟମିତତାକୁ ରୋକିବା ପାଇଁ ଏକ କମିଟି କରାଯାଇଥିବା ବେଳେ ଏ ଦିଗରେ ତଦନ୍ତ ସହ ସ୍ବଚ୍ଛତା ଆଣି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଖୁବଶୀଘ୍ର ଦିଆଯିବ ବୋଲି କହିଛନ୍ତି ମେୟର । ସୂଚନା ମୁତାବକ ନବନିର୍ବାଚିତଙ୍କ ଏଥର ୪୮ ଟି ବିଜେଡି ଓ ସ୍ବାଧୀନ ୯ ଓ ୧୦ ଜଣ ବିଜେପି କର୍ପୋରେଟର ରହିଥିଲେ ।
ବୈଠକରେ ଶାସକ ଓ ବିରୋଧୀଙ୍କ ଭିତରେ ଆଲୋଚନା ଓ କଥା କଟାକଟି ହୋଇଥିଲା । ଅନ୍ୟପକ୍ଷରେ ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ଭତ୍ତାର ଅନିୟମିତତାକୁ ନେଇ କହିଥିଲେ ଯେ, ଏସ୍ଏସପିଡି ବିଭାଗ ପକ୍ଷରୁ ଜଣେ ବିଏମସିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେ ହିତାଧିକାରୀମାନଙ୍କୁ ଏ ସମ୍ପର୍କିତ ସମାସ୍ୟାର ସମାଧାନ ପାଇଁ ସାହାଯ୍ୟ କରିବେ ।
ଇଟିଭି ଭାରତ, ଭୁବନେଶ୍ବର