ଭୁବନେଶ୍ବର: ରାଜଧାନୀର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଇ ଭୁବନେଶ୍ବର ମହାନଗର ନିଗମକୁ ODF ++ ମାନ୍ୟତା ମିଳିଛି । ତେବେ ସ୍ମାର୍ଟସିଟିର ଏହି ସଫଳତା ପାଇଁ ରାଜଧାନୀବାସୀଙ୍କୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ବଚ୍ଛ ଭାରତ ମିଶନ ଅଧୀନରେ ୨୦୨୦ ଡିସେମ୍ବର ୧୦ ଓ ୧୧ ହୋଇଥିଲା ସର୍ବେକ୍ଷଣ । ବାହ୍ୟ ମଳମୁକ୍ତ ସହ ଶୌଚାଳୟର ଗୁଣାତ୍ମକ ମାନ ଦୃଷ୍ଟିରୁ ଏହି ସର୍ଭେ ତୃତୀୟ ପକ୍ଷ ଦ୍ବାରା କରାଯାଇଥିଲା । ତେବେ ଏହି ସଫଳତା ପାଇଁ ରାଜଧାନୀବାସୀଙ୍କୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଜଣାଇଛନ୍ତି ।
ଭୁବନେଶ୍ବରର ୬୭ଟି ୱାର୍ଡରେ ୮.୮୫ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ସହରରେ ୧୨୨ଟି ଗୋଷ୍ଠୀ ଶୌଚାଳୟ ଓ ୭୧ଟି ସର୍ବସାଧାରଣ ଶୌଚାଳୟ ରହିଛି । ସେଥିମଧ୍ୟରୁ ୪୭ଟି ସର୍ବୋତ୍ତମ ଶୌଚାଳୟ ଥିବା ସର୍ଭେରୁ ସ୍ପଷ୍ଟ ହୋଇଛି । ସହରରେ ଉତ୍ତମ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରାଜଧାନୀର ମହାନଗର ନିଗମକୁ ଏହି ମାନ୍ୟତା ମିଳିଛି । ଚଳିତ ବର୍ଷ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣରେ ରାଙ୍କ ବଢାଇବାରେ ଏହି ମାନ୍ୟତା ସହାୟକ ହେବ ବୋଲି ଆଶା କରାଯାଉଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ