ଭୁବନେଶ୍ବର: ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ଭୁବନେଶ୍ୱରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି(BMC) । ଏକରୁ ଅଧିକ କୋରୋନା ଆକ୍ରାନ୍ତ ରାଜଧାନୀର ଆଚାର୍ଯ୍ୟ ବିହାର ଦୁଇଟି ଅଞ୍ଚଳ ପ୍ଲଟ ନମ୍ବର 1419/A ଓ L3/65, ବାପୁଜୀ ନଗର ପ୍ଳଟନମ୍ବର 60, ସତ୍ୟନଗରର 120 B ଓ ଟଙ୍କପାଣି ରୋଡ ବିଷ୍ଣୁ ନଗର ପ୍ଳଟ ନମ୍ବର 1147କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ୭ ଦିନ ପାଇଁ ଏହି କଣ୍ଟେନମେଣ୍ଟ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।
ତେବେ ଏ ଅଞ୍ଚଳରେ ରହୁଥିବା ବ୍ୟକ୍ତି ମାନଙ୍କ ବାହାରକୁ ଆସିବା ଉପରେ କଟକଣା ଜାରି ହୋଇଛି । ଏଠାକାର ବାସିନ୍ଦାଙ୍କୁ ଘରେ ରହି କୋଭିଡ ନିୟମର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ନେଇ ସତର୍କତା ଓ ସଚେତନ ରହିବାକୁ ସୂଚନା ଦେଇଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ମହେନ୍ଦ୍ର ବଢେଇ। ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବିଏମସି ଏପରି ପଦକ୍ଷେପ ନେଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ