ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ସରଗରମ୍ ରାଜ୍ୟ ରାଜନୀତି । କ୍ଷମତା ହାତେଇବାକୁ ଲାଗିପଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହାରି ମଧ୍ୟରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ଚାରିଆଡେ ଚର୍ଚ୍ଚା । ଓଡ଼ିଶାରେ ବିଜେଡିର ବିକଳ୍ପ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କୁ ଧର୍ମେନ୍ଦ୍ର ହିଁ ଟକ୍କର ଦେବେ । ସେ ଯଦି ଓଡ଼ିଶାର ଦାୟିତ୍ଵ ନେବେ ତେବେ ଆମେ ଭଲ କରିବୁ । ତାଙ୍କ ବିନା ଓଡ଼ିଶା ବିଜେପି କିଛି ନୁହେଁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ପଞ୍ଚାୟତରେ ଆମେ ଖରାପ ପ୍ରଦର୍ଶନ କରିଛୁ । ପୌର ନିର୍ବାଚନରେ ବି ଯଦି ଧର୍ମେନ୍ଦ୍ର ଉପସ୍ଥିତି ନ ରୁହେ ତେବେ ଦଳକୁ ସମାନ ଅବସ୍ଥା ଭୋଗିବାକୁ ପଡିବ । ଲୋକେ ଯଦି ଆମକୁ ମୂଳପୋଛ କରିବାକୁ ଚାହିଁବେ କରିପାରିବେ । ନିର୍ବାଚନରେ ବିଜେଡି ସରକାର କଳବଳ ଲଗାଇ ଦେଉଛି । ଗଣତନ୍ତ୍ରରେ ମୂଲ୍ୟବୋଧକୁ ହତ୍ୟା କରାଯାଉଛି ।
କେନ୍ଦ୍ରାପଡ଼ାର MLA ଓ ବ୍ଲକ୍ ଅଧକ୍ଷଙ୍କୁ କିଏ ମାଡ଼ ମାରିଲେ । ବିଜେଡି ନେତା ଲୋକଙ୍କ ସାଥିରେ ନାହାଁନ୍ତି ବୋଲି ଏଭଳି ଭୋଗିବାକୁ ପଡ଼ୁଛି । ଭୁବନେଶ୍ଵରରେ ଶିକ୍ଷିତ ଲୋକ ଅଛନ୍ତି କିନ୍ତୁ ସରକାରର କଳରେ ପ୍ରଭାବିତ ହେଉଛନ୍ତି । ଆମ ଦଳ କଣ ପାଇଁ ପରାଜୟ ହେଉଛି ସେ ନେଇ ଆମେ ସମୀକ୍ଷା କରିବୁ। ପୌରରେ ଆମେ ଭଲ ପ୍ରଦର୍ଶନ କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତଙ୍କ ଦଳରେ ଗୋଷ୍ଠୀ କନ୍ଦଳ ଅଛି । କିନ୍ତୁ ବିଜେପିରେ କମ ଅଛି ।
ଅନ୍ୟପଟେ ବିଜେପି ଓ ବିଜେଡି ଭାଇ ଭାଇ ହୋଇ କାର୍ଯ୍ୟ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଷ୍ଣୁ ସେଠୀ । ନିରଞ୍ଜନ ପଟ୍ଟନାୟକ ଲେଖିଥିଲେ ଆମେ ରାଜ୍ୟର ବିକଳ୍ପ ବୋଲି କିନ୍ତୁ ସେ ତ ନିଜେ ଜିତି ପାରୁନାହାନ୍ତି । ସେ କଣ ରାଜ୍ୟର ବିକଳ୍ପ ହେବେ କହୁଛନ୍ତି । ସେହିପରି ପଞ୍ଚାୟତ ଅପେକ୍ଷା ପୌରରେ ବିଜେପି ଭଲ ପ୍ରଦର୍ଶନ କରିବ। ଯେହେତୁ ସହରର ଭୋଟର ଶିକ୍ଷିତ । ଶିକ୍ଷିତ ଭୋଟରଙ୍କୁ ବିଜେଡିର କଳା ଧନ ପ୍ରଭାବିତ କରିପାରିବେନି । ୧୦୯ ପୌର ଅଞ୍ଚଳ ଅଧ୍ୟକ୍ଷରୁ ବିଜେପି ୩୦ରୁ ୪୦ଟି ଦଖଲ କରିବା ନେଇ ଦମ୍ଭୋକ୍ତି ଦେଖାଇଛି ବିଜେପି । ପ୍ରଚାର ପ୍ରସାରରେ ବିଜେଡି ସରକାର କେତେ ଅର୍ଥ ବିନିମୟ କରୁଛନ୍ତି ଏନେଇ ବିଧାନସଭାରେ ଆମେ ଉତ୍ତର ମାଗିବୁ ।
ଭୁବନେଶ୍ବରରୁ ମନେରଞ୍ଜନ ଶଙ୍ଖୁଆ, ଇଟିଭି ଭିରତ