ଭୁବନେଶ୍ବର: ଶିକ୍ଷୟିତ୍ରୀ ମମିତା ମହେର ହତ୍ୟାକାଣ୍ଡରେ ତେଜୁଛି ଆନ୍ଦୋଳନ । କମ୍ପୁଛି ପଲ୍ଲୀରୁ ଦିଲ୍ଲୀ । ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ମୁହାଁମୁହିଁ ହେଉଛନ୍ତି ରାଜନୈତିକ ଦଳରେ ନେତା । ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି । ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆଜି ଡିସିପିଙ୍କ ଅଫିସ ଘେରାଉ କରିଛି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ।
ରାଜଧାନୀର ରୂପାଲି ଛକ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଡିସିପିଙ୍କ ଅଫିସ ଘେରାଉ କରିଛି ବିଜେପି ଯୁବ ମୋର୍ଚ୍ଚା । ରାଜ୍ୟ ସରକାରଙ୍କ ବିରୋଧରେ ଜୋରସୋର ନାରାବାଜି ଦେଇଛି ମୋର୍ଚ୍ଚା । ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ନେଇ ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ବିଜେପି ମୋର୍ଚ୍ଚା । ଏହା ସହିତ ମାମଲାର ସିବିଆଇ ତଦନ୍ତ ଦାବି କରିଛି ।
ବିକ୍ଷୋଭ ସମୟରେ ସ୍ଥିତି ଅଣାୟତ ହୋଇଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲା ବିଜେପି ଯୁବମୋର୍ଚ୍ଚା । ଏହି ସମୟରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଥିବା ଦେଖାବାକୁ ମିଳିଛି । କିଛି ଯୁବନେତା ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ମୋର୍ଚ୍ଚାର କିଛି ନେତାଙ୍କୁ ଘୋଷାଡି ଗାଡିରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ