ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଫଳାଫଳକୁ ନମ୍ରତାରା ସହ ସ୍ଵୀକାର କରିଛି ବିଜେପି । କମ୍ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ବିଜେପି ପ୍ରତି ଲୋକଙ୍କ ସମର୍ଥନ କମିନଥିବା କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି । ବିଜେପିକୁ 30 ପ୍ରତିଶତରୁ ଅଧିକ ଭୋଟ ମିଳିଥିବା କଥା କହିଛନ୍ତି ସମୀର ମହାନ୍ତି ।
ଏଥାପାଇଁ ବୁଥ୍ ସ୍ତରର କର୍ମକର୍ତ୍ତାକୁ ସାଧୁବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି । ବିଜୟୀ ହୋଇଥିବା ଦଳୀୟ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସମୀର । ତା ସହିତ ନିର୍ବାଚନ ହିଂସାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସମବେଦନା ଜଣାଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି ଯେ, "ଓଡ଼ିଶାବାସୀଙ୍କ ପାଇଁ ବିଜେପି ଲଢେଇ କରୁଛି ଏବଂ ଜାରି ରଖିବ । ଫଳାଫଳକୁ ଗୁରୁତର ସହ ନେଇଛି ବିଜେପି । ଆମେ ସମୀକ୍ଷା କରୁଛୁ ଏବଂ ତ୍ରୁଟି ମଧ୍ୟ ସୁଧାରିବୁ । ପରବର୍ତ୍ତୀ ସମୟରେ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିବୁ । ଏବେ ପୌର ପାଇଁ ଭଲ ରଣନୀତି ପ୍ରସ୍ତୁତ ହେଉଛି । ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ପାଇଁ ନିରନ୍ତର ସଂଗ୍ରାମ ଜାରି ରହିବ ।"
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ