ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ନେଇ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଗତକାଲି ବିଜେପି ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏପଟେ ଆଜି(ସୋମବାର) ଶାସକ ବିଜେଡି ପକ୍ଷରୁ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି ।
କଂଗ୍ରେସ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବାକୁ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲ ପ୍ରାର୍ଥୀ ହେବା ନେଇ ସୁନିଶ୍ଚିତ ହୋଇଛି । ତେବେ ପ୍ରାର୍ଥୀ ଘୋଷଣା ପରେ କିଏ ହାତେଇବ ବ୍ରଜରାଜନଗର ସିଟ ତା'କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ମାତ୍ର ସ୍ବର୍ଗତ କିଶୋର ମହାନ୍ତି ପୂର୍ବରୁ ଏଠାରୁ ବିଧାୟକ ରହିଥିଲେ ।
ଏହି ଆଧାରରେ ଅଳକା ମହାନ୍ତିଙ୍କୁ ଆନୁଗତ୍ୟ ଭୋଟ ହାତେଇବାରେ ସଫଳ ହେବା ସହ ବାଜିମାତ କରିବା ଲକ୍ଷ୍ୟରେ ରହିଛି ବିଜେଡି । ହେଲେ ବିଜେପି ମଧ୍ୟ ଏହି ସିଟ୍କୁ ହାତେଇବାରେ ରଣକୌଶଳରେ ପରିବର୍ତ୍ତନ କରିବ । ଏପଟେ ଉପନିର୍ବାଚନ ନେଇ ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ରଜରାଜନଗରରେ କାଣ୍ଟେ କି ଟକ୍କର ହେବ । ଆମେ ଜିତିବୁ, ଆମର ସଂଗଠନ ସୁଦୃଢ ରହିଥିବାବେଳେ ପୂର୍ବରୁ ସେଠାରୁ ରାଧାରାଣୀ ପଣ୍ଡା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।
ଭୁୂବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ