ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ରୋକଠୋକ ମନା କରିଦେଇଛି । ଏନେଇ ରାଜ୍ୟ କଂଗ୍ରେସ ମଙ୍ଗୁଆଳଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଓଡ଼ିଆ ଝିଅ ରାଷ୍ଟ୍ରପତି ହେବାକୁ କଂଗ୍ରେସ ସହ୍ୟ କରିପାରୁନାହିଁ ବୋଲି ସମୀର ଅଭିଯୋଗ କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ଓ ଅସ୍ମିତା ପାଇଁ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି । ଗଣତନ୍ତ୍ରରେ ଜନତା ମାଲିକ ହୋଇଥିବାରୁ ସେମାନେ କଂଗ୍ରେସର ବିଚାର କରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ସମୀର କହିଛନ୍ତି ଯେ, ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳ ବାସିନ୍ଦା ଦୀର୍ଘ ଦିନ ଧରି କଂଗ୍ରେସକୁ ଶାସନ ଗାଦିରେ ବସାଇଥିଲେ । ଆଜି ଯେତେବେଳେ ଜଣେ ଓଡିଆ ଆଦିବାସୀ ଝିଅ ଦେଶ ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହେବାକୁ ଯାଉଛନ୍ତି, ସେତେବେଳେ ସେହି ଓଡ଼ିଶା କଂଗ୍ରେସ ଦଳ ତାଙ୍କୁ ବିରୋଧ କରୁଛନ୍ତି । ଓଡ଼ିଶା କଂଗ୍ରେସ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନକରିବାର ଘୋଷଣା କରାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମୀର କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମୀର କଂଗ୍ରେସକୁ ଅତୀତ କଥା ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଗତ ୧୯୯୭ ମସିହାରେ ରାଷ୍ଟ୍ରପତି ପଦ ପାଇଁ ଦଳିତ ବର୍ଗର କେ.ଆର.ନାରାୟଣନଙ୍କୁ ଖୋଲାଖୋଲି ସମର୍ଥନ କରିଥିଲା ।
ସେହିପରି ଯେତେବେଳେ ଭି.ଭି. ଗିରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ, ସେତେବେଳେ ନିଜ ବିବେକ ଅନୁସାରେ ଭୋଟ ଦେବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀ ଆହ୍ୱାନ କରିଥିଲେ । ଓଡ଼ିଶାର କଂଗ୍ରେସ ବନ୍ଧୁମାନେ ଓଡ଼ିଶାର ଗର୍ବ, ଗୌରବ ଏବଂ ଅସ୍ମିତାକୁ ପ୍ରାଧାନ୍ୟ ଦେଇ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ କ’ଣ କ୍ଷତି ହୋଇଥାନ୍ତା ବୋଲି ରାଜ୍ୟ ସଭାପତି କଂଗ୍ରେସକୁ ପ୍ରଶ୍ନ ମଧ୍ୟ କରିଛନ୍ତି । ଦେଶ ସ୍ୱାଧୀନତାର ୭୫ବର୍ଷ ଅମୃତ ମହୋତ୍ସବ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ) ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଓଡ଼ିଶାର ଝିଅ ଦୌପଦୀ ମୁର୍ମୁଙ୍କୁ ଚୟନ କରାଯାଇଛି । ଅମୃତ ମହୋତ୍ସବ ସମୟରେ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାର ସୁଯୋଗ ଉପହାର ସ୍ୱରୁପ ଓଡ଼ିଶାକୁ ମିଳିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ଆଦିବାସୀ ଝିଅକୁ ରାଷ୍ଟ୍ରପତି ହେବାର ସୁଯୋଗ ମିଳିଛି । ଏହା ଆମ ସମସ୍ତଙ୍କୁ ଖୁସି ପ୍ରଦାନ କରିଥିବାବେଳେ ଓଡ଼ିଶା କଂଗ୍ରେସର ଗଳାରେ କଣ୍ଟା ହୋଇ ଅଟକିଛି ବୋଲି ସେ କହିଛନ୍ତି ।
କଂଗ୍ରେସ ଦୀର୍ଘବର୍ଷ ଶାସନରେ ରହି ମଧ୍ୟ ଓଡ଼ିଶାକୁ ଅବହେଳା ଓ ଅଣଦେଖା କରିଥିବା ଅନେକ ଉଦାହରଣ ରହିଛି । ବିପତି ସମୟରେ ଓଡ଼ିଶାକୁ ସହାୟତା ପ୍ରଦାନ କରିବା ପାଇଁ ଯାଇଥିବା ବିଧାନସଭାର ସର୍ବଦଳୀୟ ପ୍ରତିନିଧି ଦଳକୁ “ଟଙ୍କା କଣ ଗଛରେ ଫଳେ” ବୋଲି କହି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଫେରାଇ ଦେଇଥିଲେ । ସାଢ଼େ ୪ କୋଟି ଓଡ଼ିଆଙ୍କୁ ସବୁବେଳେ ଅଣଦେଖା, ଅବହେଳା ଓ ଉପେକ୍ଷିତ କରିଛି କଂଗ୍ରେସ । ଆଜି ଓଡ଼ିଆ ଝିଅ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଓଡ଼ିଶାର ଲୋକେ ଗର୍ବ ଅନୁଭବ କଲାବେଳେ କଂଗ୍ରେସ ନେତା ଦୁଃଖିତ ଅଛନ୍ତି । ଯଦି କଂଗ୍ରେସର ଓଡ଼ିଶାଙ୍କ ଜନସାଧାରଣ ପ୍ରତି ଭଲପାଇବା ଅଛି । ତାହାଲେ ତାଙ୍କ ନେତୃବୃନ୍ଦ ବିଚାରଧାରର ଊର୍ଦ୍ଧ୍ୱକୁ ଯାଆନ୍ତୁ । ଓଡ଼ିଶାର ସ୍ୱାର୍ଥ ଓ ଅସ୍ମିତାକୁ ଆଖିଆଗରେ ରଖି ନିଜର ନେତୃବୃନ୍ଦଙ୍କୁ ପ୍ରଭାବିତ କରନ୍ତୁ ।
ଓଡ଼ିଶାର ଗୌରବ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରନ୍ତୁ । ନଚେତ ଦ୍ରୈାପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ଭୂମିକା ନେଇ ଭବିଷ୍ୟତରେ ଓଡିଶାବାସୀ ବିଚାର କରିବେ ବୋଲି ସମୀର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠି ଏବଂ ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର