ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଦଳର 42 ତମ ପ୍ରତିଷ୍ଠା ଦିବସ ଅବସରରେ ସାମାଜିକ ନ୍ୟାୟ ପକ୍ଷ ପାଳନ କରୁଛି । ଏହାକୁ ନେଇ ଦଳ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏହି ଅବସରରେ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି ଦଳର ଉପ-ସଭାପତି ପ୍ରଭାତୀ ପରିଡା କହିଛନ୍ତି , ଗତ 2 ବର୍ଷ ଧରି ସାରା ବିଶ୍ୱ ଲକଡାଉନରେ ଥିଲା । ଅନେକ ଦେଶ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ହେଲେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଲା । ଯେଉଁ ଟିକା କୁ ନେଇ ସାରା ବିଶ୍ବରେ ହାହାକାର ପଡିଥିଲା, ସେହି ଟିକା ଭାରତ ତିଆରି କରି ଦେଶବାସୀଙ୍କୁ ସୁରକ୍ଷିତ ରଖିବାରେ ସଫଳ ହେଲେ ।
ପ୍ରଭାତୀ ପରିଡା କହିଛନ୍ତି ମହାମାରୀ ବେଳେ, ଆମ ପାଖରେ, ପିପିଇ କିଟ, ଅକ୍ସିଜେନ୍ ଆବଶ୍ୟକ ସାମଗ୍ରୀ ନଥିଲା । ହେଲେ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ବ, ମାର୍ଗଦର୍ଶନରେ ଭାରତ ସଫଳତାର ସହ କୋରନା ମୁକାବିଲା କଲା । ସ୍ବଦେଶୀ, ପିପିଇ କିଟ, ଟିକା ଉତ୍ପାଦନ କରି ଆତ୍ମନିର୍ଭରଶୀଳ ହେବା ସହ ବିଦେଶକୁ ରପ୍ତାନୀ କଲା । ଅକ୍ସିଜେନ ଅଭାବକୁ ପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଦେଶରେ ନୂଆ ନୂଆ ଅକ୍ସିଜେନଯୁକ୍ତ ଶଯ୍ୟା ନିର୍ମାଣ ହେଲା । ସାରା ଦେଶବାସୀଙ୍କୁ ମାଗଣାରେ ସରକାର ଟିକା ଯୋଗାଇ ଦେଉଛନ୍ତି । ସାମ୍ଭାବ୍ୟ ଚତୁର୍ଥ ଲହରକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
ହେଲେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ରାଜ୍ୟରେ ଟିକା ଷ୍ଟରେଜ ବ୍ୟବସ୍ଥା ଫେଲ ମାରିଛି । ରାଜ୍ୟ ସରକାର ରାଜନୀତି ହୋର୍ଡିଂ ନମାରି ଟିକା ଷ୍ଟୋରେଜର ବ୍ୟବସ୍ଥା କରନ୍ତୁ ବୋଲି ପ୍ରଭାତୀ ଦାବି କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ