ଭୁବନେଶ୍ବର: ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଆନ୍ଦୋଳନରତ ବିଜେପି ବିଧାୟକଙ୍କୁ ମନାଇବାକୁ ପୁଣି ଥରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପଠେଇଲେ ବାଚସ୍ପତି । ଏହି ଦୁଇ ମନ୍ତ୍ରୀ ଆନ୍ଦୋଳନରତ ବିଜେପି ନେତାଙ୍କୁ ବିଧାନସଭା କାର୍ଯ୍ୟରେ ଯୋଗ ଦେବାକୁ ବୁଝାଇଥିଲେ । ହେଲେ ବିଜେପି ବିଧାୟକମାନେ ଏହି ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି ।
ସ୍ମିତାରାଣୀ ହତ୍ୟାକାଣ୍ଡରେ ଜଡିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ସରକାରୀ କାଗଜପତ୍ରରେ ଉଚ୍ଛେଦ ଦର୍ଶାଯାଇଥିବା ରଙ୍ଗମହଲର ଉଚ୍ଛେଦ ଏବଂ ବାଚସ୍ପତି ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନଆଣିବା ଯାଏଁ ସେମାନେ ବିଧାନସଭା କାର୍ଯ୍ୟରେ ଯୋଗ ଦେବେନି ବୋଲି କହିଛନ୍ତି । ଏଥିସହିତ ବିଧାନସଭାରେ ବିଜେପି ବିଧାୟକମାନେ ନିର୍ଯାତିତ ହେଉଥିବା ଅଭିଯୋଗ କରିଛନ୍ତି ।
ଶନିବାର ତାଙ୍କ ଦଳର ଦୁଇ କେନ୍ଦ୍ର ନେତା ଓ ରାଜ୍ୟ ସଭାପତି ଭୁବନେଶ୍ବରରେ ଥିବାରୁ ସେମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ରଣନୀତି ଚୂଡାନ୍ତ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ସେପଟେ ବିରୋଧୀ ଦଳର ଅନୁପସ୍ଥିତିରେ ମୁଲତବୀ ଆଲୋଚନା ଓ ଦେବୋତ୍ତର ଆଇନ ସଂଶୋଧନ ବିଲ ଉପରେ ଗୃହରେ ଆଲୋଚନା ହୋଇଥିଲା ।
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ